ଢେଙ୍କାନାଳ: ଜିଲ୍ଲାରେ ଅହେତୁକ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ 51 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 31 ଜଣ ପଜିଟିଭ ଭୁବନ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ ଜଣ ଏସସିବି ହସ୍ପିଟାଲର ଓ ଅନ୍ୟ ୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଆଜି ଭୁବନରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଭୁବନ ଏନଏସିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଁଞ୍ଚିଛି । ଯାହା ଭୁବନବାସୀଙ୍କ ଚିନ୍ତା ବଢାଇ ଦେଇଛି ।
ସେପଟେ ଅମାନିଆଙ୍କ ପ୍ରତି କୌଣସି ପଦକ୍ଷେପ ନେଉନାହିଁ ପ୍ରଶାସନ । ଭୁବନ ଏନଏସିରେ ଦୋକାନ ବଜାର ଖୋଲା ରହିବା ସହ କୌଣସି ସମାଜିକ ଦୂରତା ରହୁନଥିବା ଚିନ୍ତାର ବିଷୟ ପାଲଟିଛି । ଲୋକମାନେ ବିନା ମାସ୍କରେ ବଜାରରେ ବୁଲୁଥିବା ଦେଖାଯାଇଛି । ସରକାରଙ୍କ କୋଭିଡ ଗାଇଡଲାଇନ ଲୋକମାନେ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ଆଉ ଏଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ଅନ୍ୟପଟେ ବଢୁଥିବା ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନକୁ 3 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ 5ରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ