ଢେଙ୍କାନାଳ: ଜିଲ୍ଲା ବି.ବି ହାଇସ୍କୁଲର ଦୁଇଜଣ 8ମ ଶ୍ରେଣୀ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ଛାତ୍ର ଦୁଇଜଣ ହେଲେ ଢେଙ୍କାନାଳ ସହର ଗୁଡ଼ିଆନାଳି ଅଞ୍ଚଳରେ ରହୁଥିବା ବିପ୍ରବିହାରୀ ପରିଡାଙ୍କ ପୁଅ ଓମପ୍ରକାଶ ଓ କୁଞ୍ଜକାନ୍ତର ସମୀର ରଞ୍ଜନ ନାୟକଙ୍କ ପୁଅ ଆୟୁସ୍ମାନ । ଗତ ରବିବାର ସକାଳେ ଦୁଇ ସାଙ୍ଗ ଢେଙ୍କାନାଳ ଷ୍ଟାଡିୟମକୁ ଯାଇ ଆଉ ଫେରିନଥିବା ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି।
ଦୁଇ ପରିବାର ପକ୍ଷରୁ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରାଯାଇଛି । ତେବେ ଢେଙ୍କାନାଳ ଷ୍ଟାଡିୟମରୁ ସେମାନଙ୍କର ଗୋଟିଏ ସାଇକେଲ ଜବତ ହୋଇଛି। ଇତିମଧ୍ୟରେ ତିନି ଦିନ ବିତିଯାଇଥିଲେ ମଧ୍ୟ ନିଖୋଜ ବାଳକ ଦ୍ବୟଙ୍କର ପତ୍ତା ମିଳିନି। ଫଳରେ ଉଭୟ ପରିବାରରେ ଖେଳିଯାଇଛି ଦୁଃଖର ଲହରୀ ।
ସେପଟେ ଏକ ମାତ୍ର ପୁଅ ହଜିବା ପରେ ମା’ ମାନଙ୍କ ଆଖିରୁ ଶୁଖୁ ନାହିଁ ଲୁହ । ଢେଙ୍କାନାଳରୁ ଏପରି ଅଚାନକ ଦୁଇ ନାବାଳକଙ୍କର ନିଖୋଜ ଘଟଣାକୁ ନେଇ ସାଧାରଣରେ ବେଶ ଆଲୋଡନ ସୃଷ୍ଟି ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ