ଢେଙ୍କାନାଳ: ରେଙ୍ଗାଳି ବାମପାର୍ଶ୍ବ କେନାଲରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସାଆନ୍ତରାପୁର ଗ୍ରାମ ଡାହିନାଳି ନିକଟରେ ଭାଙ୍ଗି ଯାଇଛି କେନାଲ । ଫଳରେ କେନାଲ ପାଣିରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଏହି ଅଞ୍ଚଳର ଶହେରୁ ଉର୍ଦ୍ଧ୍ବ ଚାଷ ଜମିରେ କେନାଲ ପାଣି ମାଡି ଯାଉଥିବା ଦେଖିବାକୁ ମିଳିଛି । ବିଲରେ ଲାଗାଯାଇଥିବା ଧାନ ଓ ତଳି ଏବେ କେନାଲ ପାଣିରେ ଭାସି ଯାଉଛି ।
ସୂଚନା ଅନୁସାରେ, ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସାମାନ୍ୟ ବର୍ଷାରେ ଗତକାଲି ବିଳମ୍ବିତ ରାତିରେ ଏହି କେନାଲଟି ଭାଙ୍ଗିଥିବାର ଜଣା ପଡିଛି। ରେଙ୍ଗାଳି ବାମପାର୍ଶ୍ବ କେନାଲର କାମାକ୍ଷାନଗର-ଭଇରପୁର ଶାଖା କେନାଲର ଶାନ୍ତାରାପୁର ଗ୍ରାମ ଡାହିନାଳି ଠାରେ ଏହି କେନାଲ ଭାଙ୍ଗି ଯାଇଛି। ବିଲରେ ଲଗାଯାଇଥିବା ଧାନ ଏବଂ ତଳି ଏବେ ସଂମ୍ପୁର୍ଣ୍ଣ ଭାବେ ବୁଡି ରହିଛି। ପ୍ରାୟ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ପାଣି ମାଡି ଚାଲିଥିବାରୁ ଧାନ ଓ ତଳି ଉପରେ ବାଲିଚର ମାଡି, ସବୁ ନଷ୍ଟ ହେବାକୁ ବସିଲାଣି। ଯାହାକୁ ନେଇ ଚାଷି ଏବେ ଚିନ୍ତାରେ ପଡି ଯାଇଛନ୍ତି। ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଉପର ମୁଣ୍ଡରୁ ପାଣି ବନ୍ଦ କରିବା ସହ ତୁରନ୍ତ ମରାମତି ପାଇଁ ପଦକ୍ଷେପ ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି । ତେବେ ଏହି କେନାଲଟି କିପରି ଭାଙ୍ଗିଲା ସେନେଇ ଅଧିକ ତଦନ୍ତ ଚାଲିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ