ଦେବଗଡ: ଗାଁରେ ନଳକୂପ ଅଛି, ସୋଲାର ପ୍ରକଳ୍ପ ବି ଅଛି । ହେଲେ ମିଳୁନି ଟୋପାଏ ପାନୀୟ ଜଳ । ବର୍ଷ ବର୍ଷ ଧରି ସବୁକିଛି ଅଚଳ ହୋଇ ପଡିରହିଛି । ସେପଟେ ପାନୀୟ ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏପରି ଏକ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମହାଜନନାଳି ଗାଁରେ ଦେଖିବାକୁ ମିଳିଛି ।
ମହାଜନନାଳି ଗାଁରେ ବସବାସ କରିଆସୁଛନ୍ତି 30 ଟି ଆଦିବାସୀ ପରିବାର । ଏହି ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାର ଗାଁରେ ଦେଇଛନ୍ତି ତିନୋଟି ନଳକୂପ ଓ ଗୋଟିଏ ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ମାତ୍ର ଗାଁରେ ଥିବା 3 ଟି ନଳକୂପ ମଧ୍ୟରୁ 2ଟି ନଳକୂପ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡ଼ି ଥିବାବେଳେ ସୋଲାର ପ୍ରକଳ୍ପଟି ମଧ୍ୟ ଦୁଇବର୍ଷ ହେଲା ଅଚଳ ହୋଇ ପଡିରହିଛି । କେବଳ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଚଳି ଆସୁଛନ୍ତି ଗାଁର 30 ପରିବାର । ଗୋଟିଏ ମାତ୍ର ନଳକୂପ 30 ପରିବାରଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ।
ଫଳରେ ପାନୀୟ ଜଳ ମୁନ୍ଦାଏ ପାଇବା ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମହାଜନନାଳି ଗାଁରେ ଦେଖାଦେଇଥିବା ପାନୀୟଜଳ ସଙ୍କଟକୁ ଦୃଷ୍ଟିରେ ରଖି ଗ୍ରୀଷ୍ମଋତୁ ପୂର୍ବରୁ ଅଚଳ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ