ଦେବଗଡ: ଚାଲିଛି ପିକନିକ ଋତୁ । ଏହି ପରିପ୍ରେକ୍ଷୀରେ ଦେବଗଡ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଦେଓଧର ଜଳପ୍ରପାତରେ ଲାଗିଛି ଭିଡ ।
ଦେବଗଡ ସହର ଠାରୁ ମାତ୍ର 22 କିଲୋମିଟର ଦୂରରେ ଅବସ୍ଥିତ ଏହି ମନୋରମ ପର୍ଯ୍ୟଟନସ୍ଥଳୀ । ଦେଓଧର ଜଳପ୍ରପାତକୁ ପହଞ୍ଚିବାକୁ ହେଲେ ତିଳେଇବଣି ବ୍ଲକ ଅନ୍ତର୍ଗତ ଚଟିବରଘାଟ ଗାଁ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଠାରୁ ଗୋହିରା ଡ୍ୟାମ ରାସ୍ତାରେ 2 କିଲୋମିଟର ଆଗକୁ ଗଲେ ପଡିଥାଏ ଏହି ପର୍ଯ୍ୟଟନସ୍ଥଳୀ । ସବୁଜ ବନ ପାହାଡ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପର୍ଯ୍ୟଟନସ୍ଥଳୀରେ ଏକ ପାହାଡିଆ ଝରଣା କୁଳୁକୁଳୁ ନାଦ କରି ଓ ସୁଉଚ୍ଚ ପଥରମାଳା ଅତିକ୍ରମ କରି ଭୂପୃଷ୍ଠ ଉପରକୁ ବୋହି ଆସୁଥିବା ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ ।
ଏହି ଜଳପ୍ରପାତର ନିର୍ଗତ ଜଳରାଶି ଦ୍ବାରା ନିମ୍ନ ଭାଗରେ ଏକ ଅଗଭୀର ଗଣ୍ଡ ସୃଷ୍ଟି ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଥାଏ । ଜଳପ୍ରପାତର ନୀଳ ଜଳରାଶି ଓ ଏହାକୁ ପରିବେଷ୍ଟିତ କରିଥିବା ସବୁଜ ବୃକ୍ଷ ରାଜି, ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏହାର ଶାନ୍ତ ପରିବେଶରେ ବଣଭୋଜି କରିବା ମଜା ନିଆରା । ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଚଳିତ ବର୍ଷ ମଧ୍ୟ ଡିସେମ୍ବର ପହିଲା ଠାରୁ ଏହି ପର୍ଯ୍ୟଟନ ସ୍ଥଳୀଟି ପର୍ଯ୍ୟଟକଙ୍କ ଭିଡରେ ଉତ୍ସବ ମୁଖର ହୋଇ ଉଠିଛି ।
ଜିଲ୍ଲା ବାହାରୁ ପ୍ରତିଦିନ ବହୁସଂଖ୍ୟାରେ ଲୋକେ ଏଠାକୁ ବଣଭୋଜୀ କରିବାକୁ ଆସିବା ସହ ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି । ଏଠାକୁ ଏତେ ସଂଖ୍ୟକ ଲୋକେ ଆସୁଥିବାବେଳେ ଏଠାରେ ସେମାନଙ୍କ ପାଇଁ କିଛି ପିଣ୍ଡି ସହ ଏକ ନଳକୂପ ରହିଛି । ତେବେ ଏତେ ସବୁ ପରେ ବି ଏଠାକାର ଯେତିକି ବିକାଶ ହେବାକଥା ତାହା ହୋଇପାରି ନଥିବାରୁ ଆଜି ବି ଏହି ଜଳପ୍ରପାତ ଅନେକ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଛି ।
ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ