ଦେବଗଡ଼: ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରତବ ଗାଁରେ । ଡାକ୍ତରଖାନାରୁ ମୃତ ଘୋଷିତ ମୃତଦେହକୁ ଅଭିନବ ଉପାୟରେ ବଢ଼ିଲା ନାଳ ପାରି କରାଇ ଗାଁକୁ ବୋହି ଆଣୁଛନ୍ତି ପରିବାର ଲୋକେ ।
ଗୁରୁସଙ୍ଗ ପଞ୍ଚାୟତ ରତବ ଗାଁର ଦୁର୍ଯ୍ୟୋଧନ ନାମକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ସୁଦୂର ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ବୁଧବାର ମୃତଦେହକୁ ଅନୁଗୋଳରୁ ରତବ ଗାଁକୁ ଆଣିଥିଲେ । ମାତ୍ର ଜିଲାରେ ଲଗାଣ ବର୍ଷା ଫଳରେ ରତବ ଗାଁ ନିକଟସ୍ଥ ଯୌତୁକ ନାଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା ।
ନାଳରେ ପୋଲ ବି ନାହିଁ । ତେବେ ପରିବାର ଲୋକେ କୌଣସି ଉପାୟ ନପାଇ ଏକ ଖଟର ଚତୁପାର୍ଶ୍ୱରେ ଚାରୋଟି ବଡ଼ବଡ଼ ଡେକଚି ବାନ୍ଧି ଓ ଖଟକୁ ପାଣିରେ ଭସାଇ ମୃତଦେହକୁ ରତବ ଗାଁ କୁ ଆଣିଥିଲେ । ଏହି ଦୃଶ୍ୟ ଏବେ ସାରା ଜିଲ୍ଲାରେ ଭାଇରାଲ ହେବା ସହିତ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ଏଭଳି କରୁଣ ଦୃଶ୍ୟ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ଗମନା ଗମନ ବ୍ୟବସ୍ଥାର ଏକ ନଗ୍ନଚିତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରତବ ଗାଁ ନିକଟରେ ପ୍ରବାହିତ ଯୌତୁକ ନାଳରେ ବର୍ଷାଋତୁରେ ବନ୍ୟା ଆସିବା ଫଳରେ ବର୍ଷା ଚାରିମାସ ଗାଁଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ତେଣୁ ଆଜକୁ ଦୀର୍ଘ ବର୍ଷ ହେବ ଯୌତୁକ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ସୁଦ୍ଧା, ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ପ୍ରତିବର୍ଷ ଏଠାରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକି ପ୍ରଶାସନିକ ବିଫଳତାକୁ ଇଙ୍ଗିତ କରୁଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ