ଦେବଗଡ: ଝରଣାର କୂଳୁ କୂଳୁ ନାଦ ସାଙ୍ଗକୁ ପ୍ରାଚୀନ ବୌଦ୍ଧ କୀର୍ତ୍ତି ରାଜିର ସମାହାର । ପୁଣି ତା ସାଙ୍ଗକୁ ବଡ ବଡ ଶିଳା ଖଣ୍ଡ ଓ ଶିଳାଲିପି ମନ ମୋହି ଥାଏ। ଏ ହେଉଛି ଦେବଗଡ଼ ଜିଲ୍ଲାର 'ଅକ୍ଷରଶିଳା ଗାଁ' । ବାରକୋଟ ବ୍ଲକ ବାହାଡାପଶି ଛକ ଠାରୁ ରାଉରକେଲା ରାସ୍ତାରେ ପ୍ରାୟ 7 କିମି ଦୂର ବ୍ରାହ୍ମଣୀ ନଦୀ ତଟରେ ଅବସ୍ଥିତ ଏହି ଗାଁ । ଏଠାରେ ରହିଛି ଆଶ୍ଚର୍ଯ୍ୟ କଲାଭଳି ଅନେକ ଖୋଦିତ ଶିଳାଖଣ୍ଡ । ବିଭିନ୍ନ ପଶୁ, ପକ୍ଷୀ ଓ ସରୀସୃପ ଆକୃତିର କଳାକୃତି । କିନ୍ତୁ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଅଧିକାଂଶ ଶିଳାଲିପି ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇସାରିଥିବା କୁହାଯାଏ ।
ଏହି ଶିଳାଲିପି ଗ୍ରାମବାସୀଙ୍କ ଆଧ୍ୟାତ୍ମିକ ଭାବନା ସହ ମଧ୍ୟ ଜଡିତ ହୋଇ ରହିଛି । ଦେବାଦେବୀଙ୍କ ଅଭିଶାପରୁ ଏଠାରେ ରାତ୍ରିଯାପନ କରିଥିବା କିଛି ବଣିକ ପାଷାଣ ପାଲଟି ଯାଇଥିବା ଲୋକଙ୍କ ବିଶ୍ବାସ ରହିଥିବାରୁ କାହିଁ କେଉଁ କାଳରୁ ଗ୍ରାମବାସୀମାନେ ଏହାକୁ ପୂଜାର୍ଚ୍ଚନା କରି ଆସୁଛନ୍ତି ।
ଗାଁର ଏପରି ନାମକରଣରେ ରହିଛି ଏକ କିମ୍ବଦନ୍ତୀ । ଅଷ୍ଟମ ଖ୍ରୀଷ୍ଟାବ୍ଦରେ ବୌଦ୍ଧ ଭିକ୍ଷୁକମାନେ ଏହି ବ୍ରାହ୍ମଣୀ ଅବବାହିକାରେ ବିହାର ନାଳନ୍ଦାରୁ ଓଡ଼ିଶାର ରତ୍ନଗିରି ଅଭିମୁଖେ ଯିବା ଆସିବା କରୁଥିଲେ । ଏହି ସମୟରେ ସେମାନେ ଏଠାରେ ବିଶ୍ରାମ ନେଉଥିଲେ । ଆଉ ସେତିକି ବେଳେ କେତେକ ଶିଳାଖଣ୍ଡ ଉପରେ ପାଲି ଭାଷାରେ କିଛି ଲିପି ଖୋଦିତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଶିଳା ଖଣ୍ଡ ଗୁଡିକୁ ବାମଣ୍ଡା ରାଜା ସାର ବାସୁଦେବ ସୁଢଳ ଦେବ ଠାବ କରିବା ସହିତ ସେଠାରେ ଜନବସତି ସ୍ଥାପନ କରାଇଥିଲେ । ସେହି ଖୋଦିତ ଲିପି ଅନୁସାରେ ରାଜା ସାର ବାସୁଦେବ ସୁଢଳ ଦେବ ଏହି ଗାଁର ନାଁ 'ଅକ୍ଷରଶିଳା ନାମିତ କରିଥିଲେ ।
କେବଳ ଏତିକିନୁହଁ ବ୍ରାହ୍ମଣୀ ଅବବାହିକାରେ ଆହୁରି ଅନେକ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିଥିବା ବେଳେ ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ବାରା ସେସବୁ ଜଳମଗ୍ନ ହୋଇଯାଇଛି । ହେଲେ ଗ୍ରୀଷ୍ମଋତୁରେ ଶୁଷ୍କ ନଦୀ ଗର୍ଭରେ ବୌଦ୍ଧ କୀର୍ତ୍ତିର ଅଂଶଅବଶେଷ ଦେଖିବାକୁ ମିଳିଥାଏ । ବିଡମ୍ବନାର ବିଷୟ ଯେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ହେତୁ ଜନମାନସରୁ ବିଲୁପ୍ତ ହେବାକୁ ବସିଛି ଏହି ଐତିହ କୀର୍ତ୍ତିରାଜି ।
ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହି କୀର୍ତ୍ତିରାଜି ଗୁଡିକୁ ପୁନରୁଦ୍ଧାର କଲେ ଏଠାରେ ବୌଦ୍ଧଧର୍ମ ସମ୍ବନ୍ଧୀୟ ଅନେକ ରୋଚକ ତଥ୍ୟ ମିଳିପାରିବ । ଏହା ସହିତ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ବହୁ ଗବେଷକ ଓ ଐତିହାସିକ ମତବ୍ୟକ୍ତ କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ