ଦେବଗଡ: ଝାଟିମାଟି ପତର କୁଡ଼ିଆରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ । ତାହା ପୁଣି ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ । ଜିଲ୍ଲା ଶିକ୍ଷା ବିଭାଗର ଏଭଳି ଏକ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ରିଆମାଳ ବ୍ଲକ ବୁଡିଦ ପଞ୍ଚାୟତର ବଡ କଙ୍କରଖୋଲ ଗାଁରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଶିକ୍ଷାଦାନ ବ୍ୟବସ୍ଥା ଥିବାବେଳେ ଏଠାରେ ପାଠ ପଢୁଛନ୍ତି ମୋଟ 42 ଜଣ ଛାତ୍ରଛାତ୍ରୀ । ଆଉ ଏମାନଙ୍କୁ ଶିକ୍ଷାଦାନ କରୁଛନ୍ତି ମାତ୍ର 4ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ ବିଡ଼ମ୍ବନାର ବିଷୟ ଯେ, ଏହି 7ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ରହିଛି 2ଟି ଅର୍ଦ୍ଧ ନିର୍ମିତ ଶ୍ରେଣୀଗୃହ । କେବଳ ଦୁଇଟି ଶ୍ରେଣୀ ଗୃହ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ବିଦ୍ୟାଳୟ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଛି ଏକ ଝାଟିମାଟି ଅସ୍ଥାୟୀ ପତର କୁଡିଆ । ଆଉ କୁଡିଆର ଚତୁଃପାର୍ଶ୍ଵ ବାଉଁଶ ପାତିଆରେ ଘେରା ହୋଇଥିବା ବେଳେ, ଛାତରେ ପଡିଛି କିଛି ନଡ଼ା ଓ ବରଡା ପତର । ଏଭଳି ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ରହିଥିବା ବେଳେ ଚଟାଣରେ ବସି ପାଠପଢୁଛନ୍ତି ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ।
କେବଳ ଏତିକି ନୁହେଁ କୁଡ଼ିଆ ଚତୁଃପାର୍ଶ୍ଵ ଘାସ ଓ ଲଟା ବୁଦାରେ ଭର୍ତ୍ତି ହୋଇଥିବା ବେଳେ ଏଠାରେ ବିଷଧର ସାପ ଓ ବିଛାଙ୍କ ଭୟ ମଧ୍ୟ ରହିଛି । କୁଡିଆଟି ଦୁର୍ବଳ ହୋଇପଡିଥିବାରୁ କେତେବେଳେ ଯେକୌଣସି ଅଘଟଣ ନଘଟିବ ତାହା କହିବା ମୁସ୍କିଲ ହେବ । ତଥାପି କୌଣସି ଅନ୍ୟ ଉପାୟ ନପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏଭଳି ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର ପରିବେଶରେ ପିଲାଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି । ଯାହାକି ଜିଲ୍ଲାରେ ସରକାରଙ୍କ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି ।
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲକ୍ଷ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ କରିବା ପାଇଁ ସରକାର କେତେକଣ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ଏଠାରେ ତାହାର କୌଣସି ପ୍ରତିଫଳନ ପରିଲକ୍ଷିତ ହେଉନାହିଁ । ପରିତାପର ବିଷୟ ଯେ ଆଜକୁ ଦୀର୍ଘ ସମୟ ହେଲା ଏହି ଅସୁରକ୍ଷିତ ଅବସ୍ଥାରେ ଚାଲିଥିବା ବିଦ୍ୟାଳୟ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ । ଏସମ୍ପର୍କରେ ଆମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁମର ମଣି ପ୍ରଧାନଙ୍କୁ ପଚାରିବାରୁ ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ସେ କହିଥିଲେ ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ