ଦେବଗଡ: 5 ବର୍ଷ ପୂର୍ବରୁ ଗାଁରେ ନିର୍ମାଣ ହୋଇଛି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ ନିର୍ମାଣରେ ସରକାର ବ୍ୟୟ କରିଛନ୍ତି ଲକ୍ଷାଧିକ ଟଙ୍କା । ହେଲେ ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି ଏହି ପ୍ରକଳ୍ପ । ସେପଟେ ପାନୀୟ ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ହେଉଛନ୍ତି ଡହଳ ବିକଳ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ପାଣିଭଣ୍ଡାର ଗାଁରେ ।

ଗାଁରେ ବସବାସ କରନ୍ତି 300ରୁ ଊର୍ଦ୍ଧ ପରିବାର । ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାଇପ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ପକ୍ଷରୁ ଗତ 2015-16 ମସିହାରେ ନିର୍ମାଣ କରାଯାଇଥିଲା ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ । ଗାଁରେ ପାଇପ ବିଛାଯାଇ ପ୍ରତି ପରିବାରଙ୍କୁ ପାଇପ ମାଧ୍ୟମରେ ଦିଆଯାଇଥିଲା ପାନୀୟଜଳ ସଂଯୋଗ । ମାତ୍ର ଇତିମଧ୍ୟରେ ଆଜକୁ ଦୀର୍ଘ ପାଞ୍ଚବର୍ଷ ବିତିବାକୁ ବସିଥିଲେ ହେଁ, ଏପର୍ଯ୍ୟନ୍ତ ଏହି ପ୍ରକଳ୍ପରୁ ପାନୀୟ ଜଳ ମୁନ୍ଦାଏ ପାଇପାରିଲେନି ଗ୍ରାମବାସୀ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ପ୍ରକଳ୍ପଟି ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ଚଳିତ ଗ୍ରୀଷ୍ମଋତୁ ଆରମ୍ଭ ପୂର୍ବରୁ ଗ୍ରାମବାସୀ ନାହିଁନଥିବା ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପକ୍ଷରେ ଗାଁରେ ଥିବା ନଳକୂପ ଗୁଡିକ ଲୋକଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇପାରୁ ନଥିବାରୁ ଲୋକେ ଗ୍ରୀଷ୍ମ ପ୍ରାରମ୍ଭରୁ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଆଜକୁ ଦୀର୍ଘ ସମୟ ହେବ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ସମସ୍ୟାର ସମାଧାନ ହୋଇପାରୁନାହିଁ ।
ସେପଟେ ଗ୍ରୀଷ୍ମଋତୁ ଆଗମନରେ ଜଳକଷ୍ଟ ଉତ୍କଟ ହେବା ପୂର୍ବରୁ ଗାଁରେ ନିର୍ମିତ ପାନୀୟଜଳ ପ୍ରକଳ୍ପକୁ ପ୍ରଶାସନ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ