ଦେବଗଡ: ରେଙ୍ଗାଳବେଡାଠାରେ ସ୍ବାସ୍ଥ୍ୟକେନ୍ଦ୍ର କୋଠାଟି ଛିଡ଼ା ହୋଇଛି । ହେଲେ ତାହା କୋମାରେ । ଭୂତ କୋଠୀ ପାଲଟିିଛି ସ୍ବାସ୍ଥ୍ୟକେନ୍ଦ୍ର । ଘର ଉପରେ ଲତା ମାଡ଼ି ଯାଇଛି । ଚାରିପାଖ ଜଙ୍ଗଲ । ଦେବଗଡ଼ ଜିଲ୍ଲା ରେଙ୍ଗାଳବେଡ଼ାଠାରେ ଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଅବସ୍ଥା ଦେଖିବାକୁ ମିଳିଛି । ଜଣେ ହେଲେ ବି ଡାକ୍ତର କି ନର୍ସ ନାହାନ୍ତି । ପୁରୁଣା କୋଠାଟି ଭାଙ୍ଗିରୁଜି ମାଟିରେ ମିଶି ଯାଇଥିବା ସରକାରୀ ରେକର୍ଡରେ ନାମକୁ ମାତ୍ର ଚାଲିଛି ଏହି ଡାକ୍ତରଖାନା । ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି 6ଟି ପଞ୍ଚାୟତର 30 ହଜାରରୁ ଉର୍ଦ୍ଧ୍ୱ ଲୋକ ।
ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ 1978 ମସିହାରେ ଦେବଗଡ଼ ଜିଲ୍ଲା ରେଙ୍ଗାଳବେଡା ଠାରେ ସ୍ଥାପନ କରାଯାଇଥିଲା ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଲୋକେ ସ୍ବାସ୍ଥ୍ୟସେବା ପାଇଁ ଆସୁଥିଲେ । ମାତ୍ର 1985 ମସିହାରେ ରେଙ୍ଗାଲି ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରଠାରୁ ସରକାରଙ୍କ ଜଳସମ୍ପଦ ବିଭାଗ ଏହାର ଆଉ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଲେ ନାହିଁ । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରଟି ବନ୍ଦ ହୋଇଗଲା । ଲୋକେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ରହିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ପୁନଃ ଖୋଲାଯାଇ ଲୋକଙ୍କୁ ପୂର୍ବ ଭଳି ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ ।
2010 ମସିହାରେ ସରକାରଙ୍କ ଜଳସମ୍ପଦ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ମିଳିତ ବୈଠକ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଜଳସସମ୍ପଦ ବିଭାଗର ସ୍ବାସ୍ଥ୍ୟ ବିଭାଗ ଅଧିନକୁ ଟ୍ରାନ୍ସଫର ହୋଇଥିଲା । ଗତ 2012 ମସିହାରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜଳସମ୍ପଦ ବିଭାଗରୁ ନିଜ ଆଡ଼ମିନିଷ୍ଟ୍ରେଟିଭ୍ କଣ୍ଟ୍ରୋଲକୁ ନେଇ ସାରିଛନ୍ତି । ବର୍ତ୍ତମାନ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରହିଛି । ମାତ୍ର ଘୋର ପରିତାପର ବିଷୟ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ନାମକୁ ମାତ୍ର ଚାଲିଛି । ଜଣେ ହେଲେ ବି ଡାକ୍ତର, ନର୍ସ କିମ୍ବା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ନାହାନ୍ତି ।
ଏହା ବି ପଢନ୍ତୁ...କାମରେ ଆସୁନି କଳାହାଣ୍ଡି କୋଣାର୍କ ସୂତାକଳ, କ୍ଷତି ସହୁଛନ୍ତି କପା ଚାଷୀ
ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ପ୍ରଦାନ କରାଯିବା ପାଇଁ ଦୀର୍ଘବର୍ଷ ହେଲା ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ମାତ୍ର ଏଯାଏଁ କୌଣସି ସୁଫଳ ମିଳି ପାରୁନାହିଁ । ଗତ 17 ତାରିଖ ଦିନ ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନ ଦେବଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ପ୍ରଦାନ କରିଥିଲେ । ଏ ଦିଗରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସଚିବ ପାଣ୍ଡିଆନ ଆଶ୍ୱାସନା ଦେଇଥିଲେ । ଏହା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ପୁଣି ଥରେ ଆଶା ସଞ୍ଚାର ହୋଇଛି । 5T ସଚିବଙ୍କ ଦୃଷ୍ଟି ଆକର୍ଷଣ ପରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି କେବେ କାର୍ଯ୍ୟକ୍ଷମ ହେବ ଓ ଲୋକେ ଏଥିରୁ କେବେ ସ୍ବାସ୍ଥ୍ୟସେବା ପାଇ ପାରିବେ, ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଦେବଗଡ଼