ଦେବଗଡ: ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି । ଏନେଇ ସରକାର ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି । ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଗାଁର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଛତୁଆ ଦେବାର ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରତିମାସରେ ଏହି ଛତୁଆ ଯୋଗାଇ ଦିଆଯାଉଛି । ମାତ୍ର ଏଥିବେ ବି ଘୋଟାଲା । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ମହିଳା ଓ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସହିତ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହୋଇଛି ।
ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ରିଆମାଳ ବ୍ଲକ 26 ଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଛତୁଆ ପ୍ରସ୍ତୁତ କରି ଯୋଗାଇ ଦେବାକୁ ବୈଷ୍ଣଦେବୀ ଓ ଗାୟତ୍ରୀ ନାମକ 2ଟି ଏସଏସଜି ମହିଳାଙ୍କୁ ଦାଇତ୍ବ ଦିଆଯାଇଛି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ , ବ୍ଲକର ତାରଙ୍ଗ, ଟୁହିଲାମାଳ,ମଲେହିପଡା, ଆଡ଼ସ ଆଦି 9 ଟି ପଞ୍ଚାୟତରେ ଛତୁଆ ବାଣ୍ଟୁଥିବା ବୈଷ୍ଣଦେବୀ ଏସଏସଜି ଦ୍ବାରା ପ୍ରସ୍ତୁତ ଛତୁଆ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି ।
ଛତୁଆରେ ଆବଶ୍ୟକ ସାମଗ୍ରୀ ମିଶ୍ରଣ କରାଯାଉ ନଥିବାରୁ ଏହା ରୁଚିକର ହୋଇପାରୁନାହିଁ । ଏଥି ସହିତ ନିର୍ଦ୍ଧାରିତ ଓଜନ ଠାରୁ କମ ପରିମାଣର ଛତୁଆ ବିତରଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଛତୁଆ ପ୍ରସ୍ତୁତକାରୀ କେତେକ ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ଜିଲ୍ଲାରେ ଛତୁଆ କାର୍ଯ୍ୟକ୍ରମ ପ୍ରହସନ ପାଲଟିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା , ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ଚୟନ କରାଯିବା ପୂର୍ବରୁ ଛତୁଆ ପ୍ରସ୍ତୁତି ପାଇଁ ସମ୍ପୃକ୍ତ ସଂସ୍ଥା ପାଖରେ ଆବଶ୍ୟକ ଭିତ୍ତିଭୂମି ତଥା ଉପକରଣ ରହିବା ଆବଶ୍ୟକ । ମାତ୍ର ଉପରୋକ୍ତ ସଂସ୍ଥା ପାଖରେ ଆବଶ୍ୟକ ଉପକରଣ ନଥାଇ ସୁଦ୍ଧା ଏହି ସଂସ୍ଥାକୁ ଛତୁଆ ପ୍ରସ୍ତୁତି ପାଇଁ କିଭଳି ଚୟନ କରାଗଲା ? ତାହା ତଦନ୍ତ ସାପେକ୍ଷ । ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣାଲତା ବିଶ୍ବାସଙ୍କ ସହିତ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ସେ ନୂତନ ଭାବେ କାର୍ଯ୍ୟଭାର ନେଇଥିବାରୁ ଏହା ଉପରେ କିଛି କହିବାକୁ ମନା କରିବା ସହିତ ଏ ଘଟଣାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ