ଦେବଗଡ: ଦେବଗଡ ପୌର ପରିଷଦର ଉପ ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି 4 ନମ୍ବର ୱାର୍ଡର ବିଜେପି କାନସିଲର ପ୍ରଜିତ କୁମାର ଭୋଜ । ଆଜି ଦେବଗଡ ପୌର ପରିଷଦ ଠାରେ ଉପ ନଗରପାଳ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ପକ୍ଷରୁ 4 ନମ୍ବର ୱାର୍ଡର କାନସିଲର ପ୍ରଜିତ କୁମାର ଭୋଜ ଏବଂ ବିଜେଡି ପକ୍ଷରୁ 5 ନମ୍ବର ୱାର୍ଡ କାନସିଲର ଯତୀନ ନାୟକ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ମତଦାନ ବେଳେ ବିଜେପି ପ୍ରାର୍ଥୀ ଭୋଜ ମୋଟ 11 ଟି କାନସିଲର ଭୋଟ ମଧ୍ୟରୁ 7 ଖଣ୍ଡ ଭୋଟ ପାଇ ଉପ-ନଗରପାଳ ଭାବେ ବିଜୟୀ ହୋଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଯତୀନ ନାୟକ ମାତ୍ର 3 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।
ଜଣେ ମାତ୍ର ସ୍ବାଧୀନ କାନସିଲର ଧର୍ମେନ୍ଦ୍ର କୁମାର ଦେବତା କାହାକୁ ଭୋଟ ଦେଇନଥିଲେ । ସୂଚନାଯୋଗ୍ୟ ଯେ, ଦେବଗଡ ପୌର ପରିଷଦରେ ନଗରପାଳ ପଦବୀ ବିଜେଡି ଦଖଲ କରିଥିବା ବେଳେ, ଉପ ନଗରପାଳ ପଦବୀ ବିଜେପି ଦଖଲକୁ ଯାଇଛି ।
ମୋଟ 11 ଟି ୱାର୍ଡ ବିଶିଷ୍ଟ ଦେବଗଡ ପୌର ପରିଷଦରେ ଚଳିତ ପୌର ନିର୍ବାଚନରେ 7 ଟି ୱାର୍ଡ କାନସିଲର ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ , ମାତ୍ର 3 ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ନଗରପାଳ ଭାବେ ବିଜେଡିର ଶାନ୍ତି ମଞ୍ଜରୀ ଦେଇ ବିଜୟୀ ହୋଇଛନ୍ତି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ