ଦେବଗଡ: ଧୂଳିଧୂଆଁରେ ଅତିଷ୍ଠ ହୋଇଗଲେଣି ଲୋକେ । ଘରୁ ବାହାରିବା ତ ଦୂର କଥା ଘରେ ରହିବା ମଧ୍ୟ କଷ୍ଟକର । ଦୀର୍ଘ ଦୁଇବର୍ଷ ହେଲା ଦିନରାତି ଧୂଳି ସଂସ୍ପର୍ଶରେ ଆସି ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ବେପରୁଆ କାର୍ଯ୍ୟ ସାଙ୍ଗକୁ ସମ୍ପୃକ୍ତ ଠିକାସଂସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନର ରହିଥିବା ଉଦାର ମନୋଭାବ ଯୋଗୁଁ ଲୋକେ ପ୍ରଦୂଷଣ ଜନିତ ସମସ୍ୟା ଭୋଗୁଛନ୍ତି ।
ଦେବଗଡ ଜିଲ୍ଲା ମଧ୍ୟଦେଇ ଅତିକ୍ରମ କରିଥିବା ମୁମ୍ବାଇ କଲିକତା 49 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଫଳରେ ଦେବଗଡ଼ ସହର ଠାରୁ ତିଳେଇବଣି ପର୍ଯ୍ୟନ୍ତ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ରାସ୍ତା କଡରେ ବସବାସ କରୁଥିବା ପୁରୁଣାଗଡ,କୁରଡ଼, ଟାଇସର , ବୁକାବେଡା , ନୂଆଭୁଇଁ , କୁରେଇବାହାଲ, କୈଳାଶ ଆଦି ଗ୍ରାମର ଲୋକେ ଦୀର୍ଘ ଦୁଇବର୍ଷ ହେଲା ଅସହ୍ୟ ଧୂଳି ପ୍ରଦୂଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏହି ରାଜପଥ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ଏହି ରାସ୍ତାର ମରାମତି ଦିଗରେ ଆଦୌ ଦୃଷ୍ଟି ଦେଉନାହିଁ । ଫଳରେ ରାସ୍ତା ଅବସ୍ଥା ଦିନକୁଦିନ ଅତ୍ୟନ୍ତ ଶୋଚନୀୟ ଓ ବିପଦ ସଂକୁଳ ହୋଇ ପଡିଥିବା ଅଭିଯୋଗ ହୋଇଛି ।
ଏହି ରାସ୍ତା ଦେଇ ଦିନ ହେଉ କି ରାତି ହେଉ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାରୁ ରାସ୍ତାରୁ ପ୍ରବଳ ମାତ୍ରାରେ ଧୂଳି ଉଡି ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରୁଛି । ଧୂଳିର ଆବରଣ ଯୋଗୁଁ ରାସ୍ତାଘାଟ ଓ ଜନବସତି ସ୍ପଷ୍ଟ ଦେଖାଯାଉ ନାହିଁ । ଏହି ଧୂଳି ପ୍ରଦୂଷଣ ଯୋଗୁଁ ରାସ୍ତାକଡ଼ ଗ୍ରାମରେ ବସବାସ କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରଦୂଷଣକୁ ରୋକିବା ନିମନ୍ତେ ନିୟମିତ ସମୟ ଵ୍ୟଵଧାନରେ ରାସ୍ତାରେ ଜଳ ସିଞ୍ଚନ କରାଯିବାକୁ ନିୟମ ରହିଥିଲେ ଏହା କରାଯାଉଥିବା ଅଭିଯୋଗ ହୋଇଛି ।
ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଠିକାସଂସ୍ଥା ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାର ପ୍ରତିକାର କରାଯାଇପାରୁନାହିଁ । ସାରା ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବାବେଳେ ଏଠାରେ ଦେଖା ଦେଇଥିବା ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥୀ ଇଟିଭି ଭାରତ