ଦେବଗଡ: ପ୍ରଜାପତି ଯୋଗୁଁ ଉଜୁଡି ଯାଉଛି କମଳା ଚାଷ । ଅମଳ ହେବା ପୂର୍ବରୁ ଗଛରୁ ପଡି ନଷ୍ଟ ହୋଇଯାଉଛି ଟ୍ରିପ ଟ୍ରିପ କମଳା । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଦେବଗଡ଼ ରିଆମାଳ ବ୍ଲକର କୁଣ୍ଢେଇଗୋଳା ଓ ଚଢ଼େଇମରା ପଞ୍ଚାୟତର କମଳା ଚାଷ ପାଇଁ ବେଶ ଜଣାଶୁଣା । ଏହି ଅଞ୍ଚଳ ମୃତ୍ତିକା ଓ ଜଳବାୟୁ ବିଶେଷକରି କମଳା ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ବହୁ ସଂଖାରେ ଚାଷୀ କମଳା ଚାଷ ପ୍ରତି ମନ ବଳାଇଥାନ୍ତି । ଏହି ଅଞ୍ଚଳର ଝରାବେର୍ଣ୍ଣି , ଖିଲବେର୍ଣ୍ଣି , ତୁଙ୍ଗାମାଲ , ଚଢ଼େଇମରା , କୁଣ୍ଢେଇଗୋଲା , ଆଉଁଳି ଓ କମାରପାଳ ଆଦି ଗାଁରେ ପ୍ରାୟ 100 ହେକ୍ଟରରୁ ଅଧିକ ବଗିଚାରେ କମଳା ଚାଷ କରାଯାଇଥାଏ । ଏହି ଅଞ୍ଚଳରେ ହେଉଥିବା କମଳାର ବିଶେଷ ଚାହିଦା ରହୁଥିବାରୁ ଓଡିଶାର ବିଭିନ୍ନ ସ୍ଥାନରୁ ବେପାରୀମାନେ ଆସି କମଳା ନେଇଥାନ୍ତି । ଫଳରେ କମଳା ବିକ୍ରୟ କରି ଚାଷୀମାନେ ବେଶ ଲାଭବାନ ମଧ୍ୟ ହୋଇଥାନ୍ତି ।
ହେଲେ ଚଳିତବର୍ଷ ଅମଳ ହେବା ପୂର୍ବରୁ ଗଛରୁ ପଡି ଟ୍ରିପ ଟ୍ରିପ କମଳା ନଷ୍ଟ ହୋଇଯାଇଛି । ପ୍ରଜାପତି କମଳା ଚାଷରେ ଆସି ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ପ୍ରଜାପତି ଦାଉରୁ କମଳାକୁ ସୁରକ୍ଷିତ ରଖିବା ପାଇଁ କୀଟନାଶକ ଛିଞ୍ଚନ କଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏ ସମସ୍ୟାର ପ୍ରତିକାର ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ କୈଣସି ପ୍ରକାର ସହାୟତା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ