ଦେବଗଡ଼: ଅସୁରକ୍ଷିତ ଅବସ୍ଥାରେ ଦେବଗଡ଼ ଜିଲ୍ଲାର ଗୈଲୋ ଘାଟି ରାସ୍ତା । ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଅତଢା ଖସୁଥିବାରୁ ରାସ୍ତାଟି ଦିନକୁ ଦିନ ସଂକୀର୍ଣ୍ଣ ଓ ବିପଦ ସଂକୁଳ ହୋଇପଡିଛି । ମାତ୍ର ଏହାର ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ସ୍ଥାନୀୟ ପ୍ରଶାସନର କୌଣସି ଆନ୍ତରିକତା ଥିବାଭଳି ମନେହେଉ ନାହିଁ । ତେବେ ଆମେ କହରଖୁ, ଏହି ମରଣଜନ୍ତା ସାଜିଥିବା ଏହି ଘାଟି ରାସ୍ତାରେ ଦୁର୍ଘଟଣାରେ ଗଲାଣି 27ଜଣଙ୍କ ପ୍ରାଣ ।
2016 ମସିହା ଅପ୍ରେଲ 17 ତାରିଖ ଦେବଗଡ଼ ଜିଲ୍ଲାର ଗୈଲୋଘାଟିରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରାପାର୍ଟିର ବସ ଭାରସାମ୍ୟ ହରାଇ ଘାଟିର 300 ଫୁଟ ତଳକୁ ଖସି ପଡିବାରୁ ଘଟଣା ସ୍ଥଳରେ ଚାଲିଯାଇଥିଲା 27 ଜଣ କଳାକାରଙ୍କ ଜୀବନ । ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତେବେ ଏହି ବସ ଦୁର୍ଘଟଣା ପରେ ଘାଟି ରାସ୍ତାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ, ଏହି ବହୁ ଚର୍ଚ୍ଚିତ ଘଟଣାକୁ ଆଜି 4 ବର୍ଷ ପୁରିଥିଲେ ହେଁ ଘାଟିରାସ୍ତା ଅବସ୍ଥା 'ଯଥା ପୂର୍ବମ, ତଥା ପରଂ' ଭଳି ମନେ ହେଉଛି ।
ତେବେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକରୁ ଲଇମୁରା, ପାରପୋଷି, ଝରାଗୋଗୁଆ, ଡ଼ିମିରିକୁଦା, ଗଣ୍ଡମ ଓ ଝାରମୁଣ୍ଡା ଆଦି 6ଟି ପଞ୍ଚାୟତକୁ ସଂଯୋଗ କରିଥାଏ ଏହି ଗଇଲୋ ଘାଟିରାସ୍ତା । ଏହି ରାସ୍ତା ଉପରେ ଉପରୋକ୍ତ 6ଟି ପଞ୍ଚାୟତର ଲୋକେ ସମ୍ପୂର୍ଣ୍ଣ ନିର୍ଭର କରି ଆସୁଛନ୍ତି । ମାତ୍ର ପରିତାପର ବିଷୟ ଯେ, ଏହି ଘାଟିରାସ୍ତା ଦୀର୍ଘ ବର୍ଷ ହେବ ଅତ୍ୟନ୍ତ ଶୋଚନୀୟ ଓ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ତିନି କିଲୋମିଟର ଦୂରତା ବିଶିଷ୍ଟ ଏହି ଅଣ ଓସାରିଆ ରାସ୍ତାରେ ରହିଛି 11 ଟି ବିପଦ ଜନକ ମୋଡ଼ । ରାସ୍ତାର ଅଧିକାଂଶ ସ୍ଥାନରେ ମାଟି ଅତଡା ଖସି ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି । ରାସ୍ତାର ଅଧିକାଂଶ ସ୍ଥାନରେ ସୁରକ୍ଷାବାଡ଼ ନଥିବାରୁ ଏହା ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ସାମାନ୍ୟ ଅସତର୍କ ହେଲେ ଘାଟିରାସ୍ତାର ତଳକୁ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଅଞ୍ଚଳବାସୀ ଆଉ ସୁରକ୍ଷିତ ମଣୁ ନାହାନ୍ତି ।
କେବଳ ଧର୍ମକୁ ଆଖିଠାର ସଦୃଶ କିଛି ସ୍ଥାନରେ ବାଉଁସ ବାଡ଼ ଓ ପଥର ଦେଇ ପ୍ରଶାସନ ନିଜ ଦାୟିତ୍ବ ସମ୍ପାଦନ କରିଦେଇଛି । ଅଣ ଓସାରିଆ ଓ ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ଘାଟିରାସ୍ତାର ସ୍ଥାୟୀ ମରାମତି ତଥା ରାସ୍ତାକୁ ଅଧିକ ଚଉଡ଼ା କରାଯାଇ ରାସ୍ତାର ଉଭୟ ପାର୍ଶ୍ବରେ ସୁରକ୍ଷାବାଡ଼ ଦିଆଯିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବିକରି ଆସୁଥିଲେ ହେଁ, କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିପଦ ସଂକୁଳ ଅବସ୍ଥାରେ ପଡିରହିଥିବା ଗଇଲୋ ଘାଟିରାସ୍ତାର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଧନ ଜୀବନ ହାନି ନହେବ, ସେ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ