ଦେବଗଡ: ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଆଜକୁ ଦୀର୍ଘ ପାଞ୍ଚ ବର୍ଷ ହେଲାଣି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ନବନିର୍ମିତ ରିଆମାଳ ବସଷ୍ଟାଣ୍ଡ । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ସାରିଥିଲେ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଯେପରି ଭୁଲି ଯାଇଛି ପ୍ରଶାସନ । ସେପଟେ ଅସ୍ଥାୟୀ ବସଷ୍ଟାଣ୍ଡ ଚାଲିଛି ରାଜରାସ୍ତା ଉପରେ । ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ । ଗତ 2018 ମସିହାରେ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମହକୁମାଠାରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ଏଥିପାଇଁ ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା ।
ପୂର୍ତ୍ତ ବିଭାଗ ଦ୍ଵାରା ଟେଣ୍ଡର ପ୍ରକ୍ରିୟାରେ ଜଣେ ଠିକାଦାର ନିୟୋଜିତ ହୋଇ ଏହାର ନିର୍ମାଣ କାର୍ଯ୍ୟ କରାଇଥିଲେ । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଏକବର୍ଷ ପରେ ସମାପ୍ତ ହୋଇଥିଲା । ମାତ୍ର ପରିତାପର ବିଷୟ ଯେ, ବସଷ୍ଟାଣ୍ଡ ନିର୍ମାଣକୁ ଇତିମଧ୍ୟରେ 5 ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ନବନିର୍ମିତ ବସଷ୍ଟାଣ୍ଡଟି ଦୀର୍ଘବର୍ଷ ହେବ ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବାକୁ ବସିଲାଣି । ଏଠାରେ ଲାଗିଥିବା ଗୃହ ଉପକରଣ ଓ ବିଦ୍ୟୁତ ଉପକରଣ ସବୁ ନଷ୍ଟ ହୋଇ ଗଲାଣି ।
ଚଟାଣରୁ ଟାଇଲ ଉଠିଗଲାଣି । ଚତୁଃପାର୍ଶ୍ଵ ଗଛଲତାରେ ଭର୍ତ୍ତି ହୋଇଥିବାବେଳେ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳିରେ ପରିଣତ ହୋଇଛି । ସେପଟେ ରିଆମାଳ ବ୍ଲକ ମହକୁମାରେ ବହୁବର୍ଷ ହେଲା ମୁଖ୍ୟ ରାସ୍ତା ଉପରେ ଚାଲିଛି ବସଷ୍ଟାଣ୍ଡ । ମୁଖ୍ୟରାସ୍ତା ଉପରେ ବସଗୁଡିକ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ସେହିପରି ଏଠାରେ ଆଶ୍ରୟ ସ୍ଥଳୀ ଓ ଶୌଚାଳୟ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରିଆମାଳ ବ୍ଲକ ମହକୁମା ଦେଇ 53 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିବାରୁ ଏଥିରୁ ପ୍ରତିଦିନ ଦେବଗଡ଼ ସମ୍ବଲପୁର କଟକ ଭୁବନେଶ୍ୱର ଅନୁଗୁଳ ରେଢ଼ାଖୋଲ ତାଳଚେର ଆଦି ସ୍ଥାନକୁ 40 ଖଣ୍ଡ ବସ୍ ଚଳାଚଳ କରିଥାଏ । ସେହି ଦୃଷ୍ଟିରୁ ଏହି ବସଷ୍ଟାଣ୍ଡ ଉପରେ ବିଭିନ୍ନ ଅଞ୍ଚଳକୁ ଯାତାୟତ ପାଇଁ ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ମାତ୍ର ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ବସ୍ ସଂଖ୍ୟା ଧୀରେ ଧୀରେ କମି ଆସୁଛି । ଫଳରେ ଲୋକଙ୍କ ଯାତାୟତରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।
ଏହି ନବନିର୍ମିତ ବସଷ୍ଟାଣ୍ଡଟିକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଲୋକ ପ୍ରତିନିଧି ଦୀର୍ଘ ସମୟ ହେଲା ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । ଫଳରେ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ସମସ୍ୟାକୁ ଦେଖି ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ରିଆମାଳ ବସଷ୍ଟାଣ୍ଡଟି ନିର୍ମାଣ କରାଇଲେ ସତ ହେଲେ ଲୋକାର୍ପିତ କରାଇବାରେ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ଏହାର ସୁଫଳ ଲୋକେ ପାଇପାରିଲେ ନାହିଁ ।
ଇଟିଭି ଭାରତ, ଦେବଗଡ