ଦେବଗଡ଼: ଦିନେ କି ଦୁଇଦିନ ନୁହେଁ, ଆଜକୁ ଦୀର୍ଘ ଚାରିମାସ ହେଲାଣି ବିଜୁଳି ବିନା ଦିନ କାଟୁଛନ୍ତି ଗ୍ରାମବାସୀ । ସେପଟେ ଟ୍ରାନ୍ସଫର୍ମର ପୋଡିଯାଇଥିବା ଓ ନୂଆଁ ଟ୍ରାନ୍ସଫର୍ମର ଲଗାଇବା ଆଳରେ ଲୋକଙ୍କ ପାଖରୁ ବକେୟା ବିଦ୍ୟୁତ ବିଲ ଆଦାୟ ପରେ ଆଉ ଦେଖା ଦେଉନାହାନ୍ତି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ନିମପଶି ଗାଁରେ ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ନିମପଶି ଗାଁରେ ବସବାସ କରନ୍ତି 20 ଟି ବିପିଏଲ ପରିବାର । ଗାଁର ସମସ୍ତ ବିପିଏଲ ପରିବାରଙ୍କୁ ସରକାର ଯୋଗାଇ ଦେଇଛନ୍ତି ବିଦ୍ୟୁତ ସଂଯୋଗ । ହେଲେ ପରିତାପର ବିଷୟ , ଗ୍ରାମବାସୀ ଆଜକୁ 4 ମାସ ହେଲା ଅନ୍ଧାରରେ ଅଛନ୍ତି ।
ପୋଡି ଯାଇଥିବା ଟ୍ରାନ୍ସଫର୍ମରକୁ ବଦଳାଇ ଗାଁକୁ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଗ୍ରାମବାସୀ ଆଜକୁ ଚାରିମାସ ହେଲା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି । ହେଲେ ଏଗରିବଙ୍କ କଥା ଶୁଣୁଛି ବା କିଏ । ଡିବିରି ଆଲୁଆକୁ ଭରସା କରି ଦିନ ବିତାଇବା ବ୍ୟତୀତ ଆଉ ଯେପରି କୌଣସି ବିକଳ୍ପ ନାହିଁ ଗ୍ରାମବାସୀଙ୍କ ପାଖରେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ