ଦେବଗଡ଼: ପରିତ୍ୟକ୍ତ ଭାବେ ପଡିରହିଛି ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୌର ଶିଶୁ ଉଦ୍ୟାନ । ଶିଶୁ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ଆଳରେ ପ୍ରତିବର୍ଷ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା, କିନ୍ତୁ ବଦଳିପାରୁନି ଉଦ୍ୟାନର ରୂପରେଖ । ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ରାଜାରାଜୁଡା ଅମଳରୁ ରହିଆସିଛି ଏହି ପୌର ଶିଶୁ ଉଦ୍ୟାନ । ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ମଧ୍ୟ ବେଶ ଆକର୍ଷିତ କରିଥାଏ ।
ମାତ୍ର ବିଡମ୍ବନାର ବିଷୟ ଯେ, ଦେବଗଡ଼ ପୌର ପରିଷଦ ଅଧୀନରେ ଥିବା ଏହି ଶିଶୁ ଉଦ୍ୟାନଟି ବିଗତ କିଛିବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହିଛି । ଉଦ୍ୟାନଟି କେବଳ ନାମକୁମାତ୍ର ରହିଥିବା ଏହାର ଦୃଶ୍ୟ ଦେଖିଲେ ହିଁ ମନକୁ ପ୍ରଶ୍ନ ଆସୁଛି । ସବୁଠାରୁ ପରିତାପର ବିଷୟ ହେଲା, ଦେବଗଡ଼ ପୌର ପରିଷଦ ପକ୍ଷରୁ ବିଗତ କିଛି ବର୍ଷ ମଧ୍ୟରେ ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ପର୍ଯ୍ୟାୟରେଏହାର ଉନ୍ନତି କରଣ କାର୍ଯ୍ୟ କରାଯାଇଛି । ଏଠାରେ ବିଭିନ୍ନ କ୍ରୀଡା ଓ ମନୋରଞ୍ଜନ ଉପକରଣ ମାନ ଲଗାଯାଇଛି । ଉଦ୍ୟାନରେ ବିଦ୍ୟୁତ୍ ସରଞ୍ଜାମ ଲଗାଯାଇ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ମାତ୍ର ସେସବୁ କେବଳ ଲୋକ ଦେଖାଣିଆ ଯେମିତି । ଉଦ୍ୟାନରେ ଲାଗିଥିବା ଅଧିକାଂଶ ଉପକରଣ କିଛିମାସ ମଧ୍ୟରେ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି ।
ଏହା ମଧ୍ୟ ପଢନ୍ତୁ-ଜନନୀ ଯନ୍ତ୍ରଣା, ବାଇକରେ ବୁହାହେଲେ ଗର୍ଭବତୀ
ପୌର ଉଦ୍ୟାନରେ ଲାଗିଥିବା ବିଭିନ୍ନ ଉପକରଣ ଗୁଡିକର ଦୟନୀୟ ଅବସ୍ଥା ଦେଖିଲେ ଏଠାରେ ବାସ୍ତବରେ କିଭଳି ଉନ୍ନତିକରଣ ଚାଲିଛି, ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ପୌର ଶିଶୁ ଉଦ୍ୟାନରେ ବିଗତ କିଛିବର୍ଷ ମଧ୍ୟରେ ଉନ୍ନତି କରଣ ନାମରେ ବିନିଯୋଗ ହୋଇଥିବା ଅଜସ୍ର ସରକାରୀ ଅନୁଦାନର ସଠିକ ଯାଞ୍ଚ କରାଗଲେ ବହୁ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଜନମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ଦେବଗଡ଼