ଦେବଗଡ଼: ମହାମାରୀ କୋରୋନା ସଂକ୍ରମଣ ପାଇଁ ଦେବଗଡରେ ଜାରିହୋଇଛି ଲକଡାଉନ । ଫଳରେ ଆଜିକୁ 2ମାସ ହେଲା ବନ୍ଦ ହୋଇପଡିଛି ଜିଲ୍ଲାର ସମସ୍ତ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ । ମଠ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ଲାଗିଛି କଡା କଟକଣା । ମନ୍ଦିରରେ ନା ବାଜୁଛି ଘଣ୍ଟ, ନା ଦେଖିବାକୁ ମିଳୁଛି ଭକ୍ତଙ୍କ ଗହଳି । ବିନା ଭକ୍ତରେ ପୂଜା ପାଉଛନ୍ତି ଭଗବାନ । ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମନ୍ଦିରର ଚାରି କାନ୍ଥ ମଧ୍ୟରେ ଯେପରି ସୀମିତ ହୋଇ ରହିଯାଉଛି । ଏଭଳି ପରିସ୍ଥିତିରେ ମଠ ଓ ମନ୍ଦିର ଉପରେ ଭରସା କରି ପରିବାର ପ୍ରତିପୋଷଣ କରି ଆସୁଥିବା ପୂଜକ ଓ ସେବାୟତଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।
ମଠ ଓ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଦାନ ଦକ୍ଷିଣା କରିଥାନ୍ତି । ବିଶେଷକରି ବିଭିନ୍ନ ପର୍ବ ପର୍ବାଣୀରେ ମନ୍ଦିର ପୂଜକମାନଙ୍କ ଭଲ ରୋଜଗାର ହୋଇଥାଏ । ଯାହାକି ପୂଜକ ଓ ସେବାୟତଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଥାଏ । ମାତ୍ର ଲକଡାଉନ କଟକଣା ଯୋଗୁଁ ସବୁକିଛି ଠପ ହୋଇପଡିଛି । ଏଭଳି ପରିସ୍ଥିତି ରେ ପୂଜକ ଓ ସେବାୟତ ମାନେ କିପରି ପରିବାର ଚଳାଇବେ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଲକଡାଉନ କଟକଣା ଯୋଗୁଁ ପ୍ରଭାବିତ ହୋଇ ଜୀବିକା ହରାଇଥିବା ଜିଲ୍ଲାର ମନ୍ଦିର ପୂଜକ ଓ ସେବାୟତଙ୍କୁ ସରକାର ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ