ଦେବଗଡ଼: ଚାଷଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷରେ ସରକାର କାର୍ଯ୍ୟକାରୀ କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ମାଟିରେ ମିଶିଯିବାକୁ ବସିଲାଣି ଏହି ପ୍ରକଳ୍ପ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଗୁଣ୍ଡୁରିପଶି ଗାଁରେ ।
ତେବେ ଏହି ଗାଁର ଚାଷଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷରେ ସରକାର 1984 ମସିହାରେ ଗାଁ ନିକଟସ୍ଥ ଗୋହିରା ନାଳରେ ସ୍ଥାପନ କରିଥିଲେ ଏକ ଉଠା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଗୁଣ୍ଡୁରିପଶି ଗାଁ ତଥା ଆଖପାଖ ଅଞ୍ଚଳର ପ୍ରାୟ 300 ଏକରରୁ ଉର୍ଦ୍ଧ ଚାଷଜମି ଜଳସେଚିତ ହେଉଥିଲା । ଫଳରେ ଗୁଣ୍ଡୁରିପଶି ଗ୍ରାମବାସୀ ଧାନଚାଷ ପରେ ପରେ ବିଭିନ୍ନ ପନିପରିବା ଓ ଅର୍ଥକାରୀ ଫସଲ ଚାଷ କରି ବେସ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଥିଲେ । ମାତ୍ର ଏହି ପ୍ରକଳ୍ପଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜକୁ ଦୀର୍ଘ 10 ବର୍ଷ ହେଲା ଅଚଳ ହୋଇ ପରିତ୍ୟକ୍ତ ଭାବେ ପଡିରହିଛି । ଏଠାରେ ଲାଗିଥିବା ଅଧିକାଂଶ ଯନ୍ତ୍ରାଂଶ ନାଳ ଗର୍ଭରେ ଲୀନ ହୋଇସାରିଥିବା ବେଳେ, ଆଉ କିଛି ଇତସ୍ତତଃ ପଡିରହିଛି । ଫଳରେ ଜଳସେଚନ ଅଭାବରୁ ଚାଷଜମି ସବୁ ପଡିଆ ପଡିଛି ।
ଏହି ଅଚଳ ପ୍ରକଳ୍ପଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦଶବର୍ଷ ହେଲା ବାରମ୍ଭାର ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ହେଲେ ଚାଷୀଙ୍କ ସମସ୍ୟା ଶୁଣୁଛି ବା କିଏ ?
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ