ଦେବଗଡ଼: ଦେବଗଡ଼ ପୌରାଞ୍ଚଳରେ ଫେଲ ମାରିଛି ସ୍ଵଚ୍ଛ ମିଶନ । ଏହି ମିଶନ ଜରିଆରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ଗୁଡିକ ବ୍ୟବହାର ହୋଇନପାରି ଦୀର୍ଘବର୍ଷ ହେବ ପରିତ୍ୟକ୍ତ ଭାବେ ପଡିରହିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ସରକାର 2018 ମସିହାରେ ସ୍ଵଚ୍ଛ ଭାରତ ମିଶନରେ ବାହ୍ୟ ମଳମୁକ୍ତ ସହର ଭାବରେ ଦେବଗଡ଼ ପୌର ପରିଷଦକୁ ଘୋଷଣା କରିଥିଲେ । ଏହା ପରେ ପୌର କାର୍ଯ୍ୟାଳୟ ସମେତ ସହରର ଵିଭିନ୍ନ କାନ୍ଥ ବାଡରେ ସ୍ଵଚ୍ଛ ମିଶନର ସଫଳତା ନେଇ ଶୋଭା ପାଉଥିଲା ମାଳମାଳ ପୋଷ୍ଟର । ସ୍ଵଚ୍ଛ ମିଶନ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାରଙ୍କ ପାଖରୁ ପୌର କର୍ତ୍ତୃପକ୍ଷ ସାଉଁଟି ଥିଲେ ଅଜସ୍ର ପ୍ରଶଂସା । ମାତ୍ର ବାସ୍ତବତା ଥିଲା ସମ୍ପୂର୍ଣ୍ଣ ଭିନ୍ନ । କେବଳ ସରକାରୀ କାଗଜପତ୍ରରେ ସୀମିତ ରହିଥିଲା ଏହି ମିଶନ । ସରକାରଙ୍କୁ ଭିତ୍ତିହୀନ ରିପୋର୍ଟ ଦେଇ ବାଃ ବାଃ ନେଇଥିବା ପୌର ପ୍ରଶାସନ ଏହି ମିଶନକୁ ସଫଳ କରାଇବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଯାହାର ଏବେ ଅନେକ ଦୃଷ୍ଟାନ୍ତ ପରିଲକ୍ଷିତ ହୋଇଛି ଦେବଗଡ଼ ପୌରାଞ୍ଚଳରେ ।
ଏହାମଧ୍ୟ ପଢନ୍ତୁ.. ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ, ଅସନ୍ତୁଷ୍ଟ ସାଧାରଣ ଲୋକେ
ଦେବଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବସବାସ କରୁଥିବା ଲୋକଙ୍କ ସୁବିଧା ନିମନ୍ତେ ସରକାରଙ୍କ ସ୍ଵଚ୍ଛ ମିଶନ ଜରିଆରେ ଗତ 2018 - 19 ମସିହାରେ ପୌର କର୍ତ୍ତୃପକ୍ଷ ନିର୍ମାଣ କରାଇଥିଲେ ଏକାଧିକ ଗୋଷ୍ଠୀ ଶୌଚାଳୟ । ଏହି ଗୋଷ୍ଠୀ ଶୌଚାଳୟରେ ଲୋକଙ୍କ ସ୍ନାନ ଓ ଶୌଚ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିଲା । ପ୍ରତିଟି ଶୌଚାଳୟରେ ବ୍ୟୟ ହୋଇଥିଲା ପ୍ରାୟ 7 ଲକ୍ଷ ଟଙ୍କା । ମାତ୍ର ବିଡମ୍ବନାର ବିଷୟ ଯେ, ନିର୍ମାଣ କାମ ସରିବା ପରେ ନବନିର୍ମିତ ଶୌଚାଳୟ ଗୁଡିକ କାର୍ଯ୍ୟକ୍ଷମ କରିବା ଦିଗରେ ପୋୖର କର୍ତ୍ତୃପକ୍ଷ ତିଳେହେଲେ ବି ଆନ୍ତରିକତା ଦେଖାଇଲେ ନାହିଁ । କେବଳ ଗୋଟିଏ କିମ୍ବା ଦୁଇଟି ଶୌଚାଳୟ ଲୋକ ଦେଖାଣିଆ କିଛିମାସ କାର୍ଯ୍ୟକ୍ଷମ ହେବାପରେ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହୋଇଗଲା ।
ଏହାମଧ୍ୟ ପଢନ୍ତୁ.. ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ , ବିଜେପିର ତୀବ୍ର ବିରୋଧ
ହେଲେ ଅବଶିଷ୍ଟ ଶୌଚାଳୟ ଗୁଡିକ ଆଦୌ କାର୍ଯ୍ୟକ୍ଷମ ହୋଇନପାରି ଏପର୍ଯ୍ୟନ୍ତ ପରିତ୍ୟକ୍ତ ହୋଇ ପଡିରହିଛି । କେତେକ ଶୌଚାଳୟ ଘାସବୁଦାରେ ପରିପୂର୍ଣ୍ଣ ହୋଇଗଲାଣି ତ ପୁଣି କେତେକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଗୋଷ୍ଠୀ ଶୌଚାଳୟ ଗୁଡିକ କାର୍ଯ୍ୟକ୍ଷମ କରିବା ଦିଗରେ ପୌର କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଲୋକେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ପାଇପାରିଲେ ନାହିଁ । ମୁଖ୍ୟତଃ ସହରର ତଳି ଅଂଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଶ୍ରେଣୀର ଲୋକେ ପୂର୍ବଭଳି ଶୌଚ ପାଇଁ ଖୋଲା ପଡିଆ ଓ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ସେପଟେ ଦେବଗଡ଼ ପୌର ପରିଷଦ ସ୍ଵଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବାହାସ୍ଫୋଟ ମାରୁଥିବା ବେଳେ ପୌରାଞ୍ଚଳରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଗୁଡିକର ଅବସ୍ଥା ଦେଖିଲେ ଏଠାରେ ସରକାରଙ୍କ ସ୍ଵଚ୍ଛତା କାର୍ଯ୍ୟକ୍ରମ ଯେ କିଭଳି କାର୍ଯ୍ୟକାରୀ ହୋଇଛି ତାହା ଜଳଜଳ ହୋଇ ଦିଶୁଛି । ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି ।
ଇଟିଭି ଭାରତ, ଦେବଗଡ଼