ଦେବଗଡ: ଶୁଖିଗଲା ଜିଲ୍ଲାର ପ୍ରମୁଖ ଗୋହିରା ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ବର୍ଷାଭାବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବାବେଳେ ଏହି ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରି ଆସୁଥିବା ଚାଷୀକୂଳ ଏବେ ଚିନ୍ତାରେ ।
କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାର ଅଧିକାଂଶ ଜନସାଧାରଣ ମୁଖ୍ୟତଃ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୭୬ ମସିହାରେ ତିଲେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଗୋହିରା ଠାରେ ଏକ ନଦୀବନ୍ଧ ନିର୍ମାଣ କରାଇ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ୨୮ ମିଟର ଉଚ୍ଚତା ଓ ୩ ହଜାର ୫ ଶହ ୫୦ ମିଟର ବିଶିଷ୍ଟ ମାଟି ନଦୀବନ୍ଧର ୫ଟି ଗେଟ ନିର୍ମାଣ କରାଯାଇଥିବାବେଳେ ଏହି ଜଳ ଭଣ୍ଡାରର ପୂର୍ଣ୍ଣସ୍ତର ୨୩୫.୫୦ ମିଟର ଓ ସର୍ବାଧିକ ଜଳଧାରଣ କ୍ଷମତା ୨୩୬ ମିଟର ରଖାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ୪ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡିଥିବା ବେଳେ ୭ଟି ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇ ବହୁ ଜନସାଧାରଣ ବିସ୍ଥାପିତ ହୋଇଥିଲେ।
ଗୋହିରା ଜଳଭଣ୍ଡାର ଜଳଶୂନ୍ୟ ହୋଇ ପଡ଼ିଥିବାବେଳେ ଏହି ନଦୀବନ୍ଧ ନିର୍ମାଣର ଅସଲ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ । ସବୁଠାରୁ ଉଦବେଗର ବିଷୟ ହେଲା ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ସାରା ଜିଲ୍ଲାରେ ମରୁଡିର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଜିଲ୍ଲାର ଅନ୍ୟତମ ପ୍ରମୁଖ ଗୋହିରା ଜଳଭଣ୍ଡାର ଶୁଖିଲା ପଡିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ