ଦେବଗଡ଼: ଜିଲ୍ଲାର ରିଆମାଳ ବ୍ଲକ ଟୁହିଲାମାଲ ପଞ୍ଚାୟତରେ ୨ ଅନାଥ ନାବାଳିକାଙ୍କୁ ଲାଳନ ପାଳନ କରୁଥିଲେ ୭୫ ବର୍ଷୀୟ ବୃଦ୍ଧ ଜେଜେବାପା । ଏହି ଖବରଟି ଇଟିଭି ଭାରତରେ ପ୍ରସାରଣ ହେବା ପରେ ଅସହାୟ ପରିବାର ଉପରେ ପଡ଼ିଛି ପ୍ରଶାସନର ନଜର । ଜିଲ୍ଲାର ଶିଶୁ ସୁରକ୍ଷା ବିଭାଗ ଏହି ୨ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ଜେଜେବାପା ୨ ନାତୁଣୀଙ୍କୁ ପୋଷୁଥିଲେ ମଧ୍ୟ ବୟସାଧିକ କାରଣରୁ ଏହା କଷ୍ଟକର ହୋଇପଡୁଥିଲା । ଫଳରେ ଉକ୍ତ ଦୁଇ ଅସହାୟ ନାବାଳିକାଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ବସିଥିଲା । ଗତ କିଛିଦିନ ପୂର୍ବରୁ ଇଟିଭି ଭାରତ ଟିମ ଝିମ୍ପାବିରା ଗାଁକୁ ପହଞ୍ଚି ଉକ୍ତ ଦୁଇ ନାବାଳିକାଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଥିଲା । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆଜି ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ସ୍ବତନ୍ତ୍ର ଟିମ ଝିମ୍ପାବିରା ଗାଁକୁ ଯାଇ ମା' ବାପ ଛେଉଣ୍ଡ ୨ ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛନ୍ତି ।
ଉକ୍ତ ୨ ନାବାଳିକାଙ୍କ ମା' ବାସନ୍ତୀ ବେହେରା ଗତ 2020 ମସିହାରୁ ମୃତ୍ୟୁବରଣ କରିଥିବା ବେଳେ, ପିତା ରଞ୍ଜନ ବେହେରା ଗତ କିଛିଦିନ ପୂର୍ବରୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତେଣୁ ପିତାଙ୍କ ହାଣ୍ଡିଘର କାର୍ଯ୍ୟ ସରିବା ପରେ ଆଜି ଉକ୍ତ ୨ ନାବାଳିକା ରୋଜି ବେହେରା (12) ଓ ରଶ୍ମିତା ବେହେରା (8)ଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରି ଦେବଗଡ଼ ସ୍ଥିତ ଶିଶୁଗୃହକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର ପ୍ରକାଶ କରିଛନ୍ତି ।
ଏଥିସହିତ, ଉଦ୍ଧାର କରାଯାଇଥିବା ଦୁଇ ଶିଶୁଙ୍କୁ ସମୃଦ୍ଧି ଯୋଜନା ମାଧ୍ୟମରେ 18 ବର୍ଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମହାପାତ୍ର ପ୍ରକାଶ କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ