ଦେବଗଡ: ଗରିବ ବିପିଏଲ ପରିବାରକୁ ସରକାର ଯୋଗାଇ ଦେଇଛନ୍ତି ବିଦ୍ୟୁତ ସେବା । ମାତ୍ର ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ବର୍ଷେ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି 100 ବିପିଏଲ ପରିବାର । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ପାଚେରିପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।
ବାରକୋଟ ବ୍ଲକ କାଳିଆପାଳ ପଞ୍ଚାୟତର ପାଚେରିପାଣି ଗାଁରେ ବସବାସ କରନ୍ତି 100 ଟି ପାଉଡିଭୂୟାଁ ଆଦିମ ଜନଜାତି ପରିବାର । ଏହି ଜନଜାତି ଲୋକଙ୍କୁ ସରକାର ଗତ 2018 - 19 ମସିହାରେ ଯୋଗାଇ ଦେଇଥିଲେ ବିଦ୍ୟୁତ ସେବା । ଦୁର୍ଗମ ବଣ ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକେ ବିଦ୍ୟୁତ ଆଲୁଅ ଦେଖି ନାହିଁନଥିବା ଖୁସି ଅନୁଭବ କରିଥିଲେ । ମାତ୍ର ଲୋକଙ୍କ ଖୁସି କିଛିଦିନ ପରେ ମଉଳି ଗଲା । ଗାଁକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବାର କିଛିଦିନ ପରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ଅଚଳ ହୋଇଯିବାରୁ ଗାଁରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ସେହିଦିନ ଠାରୁ ଏକ ବର୍ଷ ହେଲା ଗ୍ରାମବାସୀ ଘନ ଅନ୍ଧକାରରେ ଜୀବନ ବିତାଇ ଆସୁଛନ୍ତି ।
ସବୁଠାରୁ ବିଡମ୍ବନାର ବିଷୟ ହେଲା, ପାଉଡିଭୂୟାଁ ଜନଜାତିର ବିକାଶ ତଥା ଲୋକଙ୍କୁ ମୌଳିତ ସେବା ଯୋଗାଇ ଦିଆଯାଉଥିବା ନେଇ ସ୍ଥାନୀୟ ପ୍ରଶାସନ ଡିଣ୍ଡିମ ପିଟୁଛନ୍ତି । ହେଲେ ବର୍ଷେହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ଏହି ଆଦିମ ଜନଜାତିଙ୍କ ସମସ୍ୟା ବୁଝିବାକୁ ଏଯାଏଁ ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ତିଳେହେଲେ ବି ଆନ୍ତରିକତା ଥିବାଭଳି ମନେ ହେଉନାହିଁ ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ