ଦେବଗଡ଼: ଚୂଆ ମେଣ୍ଟାଉଛି ଶୋଷ । ବର୍ଷ ବର୍ଷ ଧରି ଚାଷଜମିରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରି ଆସୁଛନ୍ତି ଆଦିବାସୀ ପରିବାର । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ରାଇପୁର ଗାଁର ପ୍ରାୟ 35ଟି ଆଦିବାସୀ ପରିବାର ଏହି ଜଳକଷ୍ଟ ଭୋଗୁଛନ୍ତି ।
ରାଇପୁର ଗାଁରେ ବସବାସ କରି ଆସୁଛନ୍ତି 35ଟି ମୁଣ୍ଡା ଆଦିବାସୀ ପରିବାର । ଦୀର୍ଘବର୍ଷ ହେଲା ଏହି ଗାଁରେ ଦେଖାଦେଇଛି ଜଳକଷ୍ଟ । ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ପାନୀୟଜଳ ବ୍ୟବସ୍ଥା କହିଲେ ଗାଁରେ ଅଛି କେବଳ ଗୋଟିଏ ମାତ୍ର ନଳକୂପ । ହେଲେ ଏହି ନଳକୂପଟି ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ଅଳ୍ପ କିଛି ସମୟ ଚାଲିବା ପରେ ନଳକୂପରୁ ଆଉ ପାଣି ବାହାରୁ ନାହିଁ । ଫଳରେ ଗ୍ରାମର 35ଟି ପରିବାର ଉତ୍କଟ ପାନୀୟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି ।
ଶେଷରେ କୌଣସି ଅନ୍ୟ ଉପାୟ ନପାଇ ଗାଁ ନିକଟସ୍ଥ ଚାଷଜମି ଉପରେ ଚୂଆ ଖୋଳି ଗ୍ରାମବାସୀ ସେଠାରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ସବୁଠାରୁ ବିଡମ୍ବନାର ବିଷୟ ହେଲା, ବର୍ଷ ବର୍ଷ ଧରି ରାଇପୁର ଗ୍ରାମବାସୀ ଏଭଳି ଜଳକଷ୍ଟ ଭୋଗି ଆସୁଥିବାବେଳେ, ଏହି ସମସ୍ୟା ପ୍ରତି ଏ ଯାଏଁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରି ଆସୁଥିବା ବେଳେ ରାଇପୁର ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ଏ ସମସ୍ତ ଯୋଜନା ଉପହାସ ସଦୃଶ ହୋଇଛି ।
ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ