ଦେବଗଡ଼ : ଦେବଗଡ଼ ବନବିଭାଗ ଦ୍ୱାରା ପାଲଲହଡ଼ା-ଖମାର ସୀମାନ୍ତବର୍ତ୍ତୀ ବାଲିପଶି ଗ୍ରାମ ନିକଟରେ ଚଢ଼ାଉ କରାଯାଇ 2ଟି ହାତୀଦାନ୍ତ ଜବତ କରାଯିବା ସହିତ ଏହି ମାମଲାରେ 2 ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଅଟକ ରଖାଯାଇଥିବା ଯୁବକ ଦୁଇଜଣ ହେଲେ ଖମାର ଥାନା ଅନ୍ତର୍ଗତ ରୋହିଲା ଗ୍ରାମର ଖଟିଆ ବେହେରାଙ୍କ ପୁଅ ମିଟୁ ବେହେରା ଓ କୁମୁରୁଲା ଗ୍ରାମର ପଦ ଖଣ୍ଡାଳଙ୍କ ପୁଅ ରାଜୁ ଖଣ୍ଡାଳ ।
ଦେବଗଡ଼ ବନଖଣ୍ଡ ଅଧିନ ଖମାର ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରାଯାଉଥିବା ଗୁଇନ୍ଦା ସୂତ୍ରରୁ ବନ ବିଭାଗକୁ ସୂଚନା ମିଳିଥିଲା । ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ନଜର ରଖାଯାଇଥିଲା । ଉପରୋକ୍ତ ଅଭିଯୁକ୍ତ ଦ୍ବୟ ହାତୀଦାନ୍ତ ବିକ୍ରି କରୁଥିବା ସୂଚନା ମିଳିବା ପରେ ବନବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଛଦ୍ମ ବେଶରେ ଅଭିଯୁକ୍ତ ମିଟୁ ଓ ରାଜୁ ପାଖରୁ ହାତୀଦାନ୍ତ କିଣିବା ପାଇଁ ମୁଲଚାଲ କରିଥିଲେ ।
ଯୋଜନା ମୁତାବକ ନିର୍ଦ୍ଧାରିତ ସ୍ଥାନକୁ ସେମାନେ ହାତୀଦାନ୍ତ ନେଇ ବିକ୍ରି କରିବା ପାଇଁ ଯାଉଥିବାବେଳେ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରି ତାଙ୍କ ପାଖରୁ ଅଢେଇ କିଲୋ ଓଜନର ଦୁଇଟି ହାତୀଦାନ୍ତ ଜବତ କରିବା ସହିତ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବାରୁ ତଦନ୍ତ ବ୍ୟାଘାତ ହେବା ଆଶଙ୍କାରେ ବନବିଭାଗ ପକ୍ଷରୁ ଅଧିକ ସୂଚନା ମିଳିପାରିନାହିଁ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ