ଦେବଗଡ଼: ପୌର ପରିଷଦରେ ମହାଦୁର୍ନୀତି । କେତେବେଳେ ପ୍ରତିମୂର୍ତ୍ତି ନିର୍ମାଣ କରି ଲକ୍ଷାଧିକ ଟଙ୍କା ଆତ୍ମସାତ ହେଲାଣିତ ଆଉ କେତେବେଳେ ନିମ୍ନମାନର ରାସ୍ତାଘାଟ ଓ ଡ୍ରେନେଜ ନିର୍ମାଣରେ ଦୁର୍ନୀତି କରି ଚଙ୍କା ହଡପ କଲେଣି । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣିଛନ୍ତି କାଉନସିଲର । ଏପରି ଦୁର୍ନୀତିରେ ରୋକ ଲଗାଇବା ସହ ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନରେ ବସିଛନ୍ତି ପୌର ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ସାତଜଣ କାଉସିଲର ।
ଗତ କିଛିମାସ ପୂର୍ବରୁ ପୌରାଞ୍ଚଳରେ ଅହେତୁକ ଭାବେ ବୃଦ୍ଧି ପାଇଥିବ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିଜେପି ଓ ସ୍ୱାଧୀନ କାଉନସିଲର ମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ଏହାର କିଛିଦିନ ନପୁରୁଣୁ ଗତ ଜୁଲାଇ 25 ତାରିଖ ଦିନ ଠାରୁ ପୌର ପରିଷଦରେ ବିଗତ ଦିନରେ ହୋଇଥିବା 15 ଗୋଟି ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପୌର ଉପାଧ୍ୟକ୍ଷ ପ୍ରଜିତ ଭୋଜ ଏବଂ ସ୍ୱାଧୀନ କାଉସିଲର ଧର୍ମେନ୍ଦ୍ର ଦେବତାଙ୍କ ନେତୃତ୍ୱରେ ସାତଜଣ ନବ ନିର୍ବାଚିତ କାଉନସିଲର ପୁଣିଥରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ୧୧ଦିନ ହେଲା ଆମରଣ ଅନଶନରେ ବସିଛନ୍ତି ।
କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ, ''ପୌର କର୍ତ୍ତୃପକ୍ଷ ଦୈନିକ ପରିବା ବଜାର, ପ୍ରଧାନପାଟ ଶୌଚାଳୟ ଓ ପାର୍କିଂ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ପୌର ପରିଷଦର ଇସ୍ୟୁ ଡେସପାଚ ରେଜିଷ୍ଟ୍ରରରେ ଟାମ୍ପରି, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଇପିଏଫ ଅର୍ଥ ଆତ୍ମସାତ, ଜାଲିଆତି କରି ଅବସର ପ୍ରାପ୍ତ ପୌର କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା, ମୁକ୍ତା ଯୋଜନା, ବର୍ଷା ଜଳ ଅମଳ ପ୍ରକଳ୍ପ ଓ ସ୍କାବ ବିକ୍ରିରେ ଅନିୟମିତତା , ସହରୀ ବାସହୀନଙ୍କ ଆଶ୍ରୟସ୍ଥଳୀ ବଣ୍ଟନରେ ଅନିୟମିତତା ଓ କାଉନସିଲରଙ୍କୁ ପୌର ପରିଷଦ ମାସିକିଆ ବିବରଣୀ ପ୍ରଦାନରେ ଗୋପନୀୟତା ଆଦି ଅନ୍ୟତମ ହୋଇଥିବା ଅଭିଯୋଗ ହୋଇଛି'' । ତେଣୁ ଏହି ସବୁର ନିରପେକ୍ଷ ତଦନ୍ତ କରାନଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ପୌର ଉପାଧ୍ୟକ୍ଷ କହିଛନ୍ତି ।
ଅପରପକ୍ଷରେ, ପୌର କାଉସିଲରଙ୍କ ଏହି ଆନ୍ଦୋଳନ ପ୍ରତି ସହରବାସୀଙ୍କ ବିପୁଳ ସମର୍ଥନ ରହିଥିବା ସତ୍ତ୍ୱେ ଆଜକୁ ଦୀର୍ଘ 11 ଦିନ ହେଲା ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ଗେରହଣ କରାଯାଇନାହିଁ । ପୌର କାର୍ଯ୍ୟାଳୟରେ ଚାଲିଥିବା କାଉସିଲରଙ୍କ ଏହି ଆନ୍ଦୋଳନ ଯୋଗୁଁ ପୌରାଞ୍ଚଳରେ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ଜିଲ୍ଲାପାଳ ତୁରନ୍ତ ଏଦିଗରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।