ଦେବଗଡ଼: ଜିଲ୍ଲାରେ ସାମ୍ବାଦିକତାର କୌଶଳ ଶିଖିଲେ କୁନି ପିଲା । ଆମ ସମାଜରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କିପରି ଜାଣିବା ଓ ସରକାରଙ୍କ ନିକଟରେ ଏହାକୁ ପହଞ୍ଚାଇବା ପ୍ରଧାନପାଟ ଜଳପ୍ରପାତ ନିକଟସ୍ଥ କେ.ଭି ରେସିଡେନ୍ସି ଠାରେ ୟୁନିସେଫ ଓ ପିକକ୍ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ଶିଶୁ ସାମ୍ବାଦିକଙ୍କ ୩ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ନିଜ ଚାରିଆଡ଼େ ଥିବା ସମସ୍ୟା ଓ ସମ୍ପଦକୁ ଚିହ୍ନିବା ପ୍ରକ୍ରିୟାର ଜ୍ଞାନ ଅର୍ଜନ କରିବା ସହ ସେଗୁଡିକ ସମ୍ପର୍କରେ ଲେଖିବାର କୌଶଳ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଛି । ଏଥିସହ ନିଜ ଆଖପାଖର ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ସଂପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ କିପରି ସାକ୍ଷାତ କରି ସାକ୍ଷାତକାର ପ୍ରସ୍ତୁତ କରିବାର ତାଲିମ ନେଇଥିଲେ । ଗତକାଲି ଦେବଗଡ଼ ସହରରେ ମାଙ୍କଡ ମାନଙ୍କ ଦୌରତ୍ମ୍ୟ, ଜଳପ୍ରପାତ ଗୁଡ଼ିକର ସୁପରିଚାଳନାର ଆବଶ୍ୟକତା, ଜିଲ୍ଲାରେ ସ୍ବାସ୍ଥ୍ୟ ଓ ପରିବେଶରେ ଆସିଥିବା ସମସ୍ୟା ସମ୍ପର୍କରେ ଏହି ଛାତ୍ରଛାତ୍ରୀ ବିଶଦ ଭାବେ ଆଲୋଚନା କରି ସେ ସମ୍ପର୍କରେ ସଂପୃକ୍ତ ଅଧିକାରୀଙ୍କୁ ପଚାରିବାକୁ ଥିବା ପ୍ରଶ୍ନର ତାଲିକା ପ୍ରସ୍ତୁତ କରିଥିଲେ ।
ଏହା ବି ପଢନ୍ତୁ- ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି: ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା
ବିଭିନ୍ନ ସମସ୍ୟାକୁ ଆଲୋଚନା କରୁଥିବା ବେଳେ ଛାତ୍ରଛାତ୍ରୀ ନିଜ ମଧ୍ୟରେ ପ୍ରଶ୍ନ ପଚାରିବାର କଳାକୁ ଅକ୍ତିଆର କରିବା ଫଳରେ ଏହା ସେମାନଙ୍କ ଜୀବନରେ ବହୁ ପରିମାଣରେ ସହାୟକ ହେବ ବୋଲି ୟୁନିସେଫର କମ୍ୟୁନିକେସନ କନସଲ୍ଟାଣ୍ଟ ଶାରଦା ଲାହାଙ୍ଗୀର ସୂଚନା ଦେଇଛନ୍ତି । ଏଥି ସହିତ ନିଜ ଭିତରର ସମ୍ଭାବନାକୁ ନେତୃତ୍ବ ଦେଇ କିପରି ବିନା ଭୟ ଓ ସଙ୍କୋଚରେ ନିଜକୁ ବ୍ୟକ୍ତ କରିପାରିବେ ସେ ସମ୍ପର୍କରେ ମଧ୍ୟ ଏହି ଛାତ୍ରଛାତ୍ରୀ ଦକ୍ଷତାର ତାଲିମ ଦିଆଯାଇଥିଲା । ଛାତ୍ରଛାତ୍ରୀ ଲେଖନୀ ସହିତ କ୍ୟାମେରାକୁ ବ୍ୟବହାର କରି ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି କିପରି ଏକ ଖବର ପ୍ରସ୍ତୁତ କରିବାକୁ ହୁଏ ସେ ସଂପର୍କରେ ଜ୍ଞାନ ଅର୍ଜନ କରିଛନ୍ତି ।
କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଛାତ୍ରଛାତ୍ରୀ ଲେଖିବାର ଶୈଳୀ, ସାମ୍ବାଦିକତାର ଧାରା, ପ୍ରଶ୍ନ ପଚାରିବାର ପ୍ରକ୍ରିୟା ସମ୍ପର୍କରେ ତାଲିମ ପାଇ ଏକ ସାମ୍ବାଦିକ ଭଳି ମତାମତକୁ ପ୍ରକାଶ କରିପାରିବାର ଦକ୍ଷତା ହାସଲ କରିଛନ୍ତି । ଏନେଇ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଦେବଗଡ଼ ଡିସିପିଓ ରୋମିଓ ମହାପାତ୍ର କହିଛନ୍ତି । ଏହି ଶିବିରରେ ତାଲିମ ପାଉଥିବା ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ଆସନ୍ତା ଦିନରେ ଏକ ମାସିକ ପତ୍ରିକା ପ୍ରକାଶନ କରିବାର ଯୋଜନା କରାଯାଇଛି । ଆସନ୍ତା ଦିନରେ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଚାଇଲ୍ଡ ପାର୍ଲିଆମେଣ୍ଟ ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ନେବା ପାଇଁ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ମହାପାତ୍ର କହିଛନ୍ତି ।
ଇଟିଭି ଭାରତ, ଦେବଗଡ଼