ଦେବଗଡ଼: ଆଉ ଦିନ କେଇଟା ଗଲା ପୌର ନିର୍ବାଚନ । ଏନେଇ ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ନିର୍ବାଚନରେ ଦେବଗଡ଼ ପୌରାଞ୍ଚଳରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିବା ବେଳେ ସମସ୍ତ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି ।
ଦେବଗଡ଼ ଜିଲ୍ଲାରେ ମୋଟ 11ଟି ୱାର୍ଡ ବିଶିଷ୍ଟ ପୌର ପରିଷଦରେ ଅଧ୍ୟକ୍ଷ ପଦଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପରିପ୍ରେକ୍ଷୀରେ ବାମଣ୍ଡା ରାଜ ପରିବାର ସଦସ୍ୟା ମାଧବୀ କୁମାରୀ ଦେବୀ ବିଜେପି ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ବିଜେଡି ପକ୍ଷରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ପକ୍ଷରୁ ପବନି ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ହାତେଇବା ସହ 2ଟି ବ୍ଲକ ଅଧ୍ୟକ୍ଷ ପଦବୀ ଅକ୍ତିଆର କରି ଜିଲ୍ଲାରେ ବିପୁଳ ସଫଳତା ପାଇଥିବା ବିଜେଡି ପୁଣିଥରେ ଦେବଗଡ଼ ପୌର ପରିଷଦକୁ ନିଜ ଦଖଲକୁ ଆଣଇବା ପାଇଁ ଉଦ୍ୟମ ଜାରି ରଖିଛି ।
ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ବିଜେପି ପ୍ରାର୍ଥୀ ମାଧବୀ କୁମାରୀ ଦେବୀ ବିଭିନ୍ନ ୱାର୍ଡର ଘରକୁ ଘର ବୁଲିବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି । ବିଗତ ପାଞ୍ଚବର୍ଷ ଏହି ପୌର ପରିଷଦକୁ ନିଜ ଦଖଲରେ ରଖିଥିବା ବିଜେଡି ବିକାଶ ଠାରୁ ଦୂରେଇ ଯାଇ ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଯୋଗୁଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ଚଳିତଥର ଅଧ୍ୟକ୍ଷ ପଦ ବିଜେପି ହାତକୁ ଯିବା ନେଇ ଦଳ ଆଶାବାଦୀ ଅଛି।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ