ଦେବଗଡ: ଶେଷରେ ଜେଲ ଗଲେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ ଜିଲ୍ଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପାଣିଗ୍ରାହୀଙ୍କୁ ରବିବାର ଦେବଗଡ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି । ଏହା ସହିତ ତାଙ୍କର ୨ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ଗିରଫଦାରୀକୁ ବିରୋଧ କରି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ।
ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ୩ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ମାତ୍ର ବିଧାୟକ ପାଣିଗ୍ରାହୀଙ୍କୁ ଭୁବନେଶ୍ବରରୁ ଦେବଗଡ଼ ଅଣାଯିବା ବାଟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ବିଧାୟକଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା ।
ଅନ୍ୟପଟେ ବିଧାୟକ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ବିଜେପି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଭୋଇ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ସମେତ ଶତାଧିକ ବିଜେପି କର୍ମୀ ଦେବଗଡ ଆଦର୍ଶ ଥାନା ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଘଟଣାର ନିରପେକ୍ଷ ତଦନ୍ତ କରାନଯାଇ ତାଙ୍କୁ ତରବରିଆ ଓ ଅଗଣତାନ୍ତ୍ରିକ ଭାବେ ଗିରଫ କରାଯିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ