ଦେବଗଡ଼: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବଗଡ଼ ଜିଲ୍ଲାରେ ବାଜି ମାରିଲା ବିଜେଡି । ନିଜର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପିକୁ ଧରାଶାୟୀ କରି ବିଜେଡି ଜିଲ୍ଲାର ମୋଟ 7ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି । ସେପଟେ କଂଗ୍ରେସ ଜିଲ୍ଲାରେ କୌଣସି ଆସନ ପାଇ ନଥିବା ଦେଖିବାକୁ ମିଳିଛି।
ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଜୋନ 1 ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ରାଜେଶ ମହାନାୟକ ନିଜର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗଣେଶ ପ୍ରସାଦ ନାୟକଙ୍କୁ 7980 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି ତିଳେଇବଣି ଜୋନ 2ରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳି ସାମଲ ବିଜେପି ପ୍ରାର୍ଥୀ ସସ୍ମିନି ପଣ୍ଡାଙ୍କୁ 11336 ଭୋଟ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ରିଆମାଳ ବ୍ଲକ ଜୋନ 1ରେ ବିଜେଡି ପ୍ରାର୍ଥୀ କୌଶିକ ପ୍ରଧାନ ବିଜେପି ପ୍ରାର୍ଥୀ ବିରେନ ପ୍ରଧାନଙ୍କୁ 16817 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ରିଆମାଳ ଜୋନ 2 ଆସନରେ ବିଜେଡି ପ୍ରାର୍ଥୀନୀ ବାସନ୍ତୀ ବେହେରା ନିଜ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ପଲ୍ଲୀଶ୍ରୀ ବେହେରାଙ୍କୁ 11048 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବାରକୋଟ ବ୍ଲକ ଜୋନ1 ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ମୁଣ୍ଡା ବିଜେପି ପ୍ରାର୍ଥୀ ଇନ୍ଦୁମତି ପ୍ରଧାନଙ୍କୁ 5862 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।
ବାରକୋଟ ଜୋନ 2 ଆସନରେ ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ଜିତ ବିଜେପି ପ୍ରାର୍ଥୀ ଫକୀର ମୋହନ ପ୍ରଧାନଙ୍କୁ 8256 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି ବାରକୋଟ ବ୍ଲକ ଜୋନ 3 ଆସନରେ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ପାଣି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସଞ୍ଜୁକ୍ତା ମହାକୁଳଙ୍କୁ 14551 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଗତ 2017 ମସିହାରେ ବିଜେଡି ଜିଲ୍ଲାର ମୋଟ 7ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନ ଦଖଲ କରିଥିବା ବେଳେ, ବିଜେପି 6 ଗୋଟି ଆସନ ଦଖଲ କରି ଜିଲ୍ଲା ପରିଷଦ ଗଠନ କରିଥିଲା । ମାତ୍ର ଚଳିତ ନିର୍ବାଚନରେ ଜିଲ୍ଲାରେ ବିଜେପି ହାତରୁ ସବୁ ଆସନ ମୂଳପୋଛ ହୋଇଯାଇଛି । ଅପରପକ୍ଷେ ଜିଲ୍ଲାରେ ବିଜେଡି ଅଭୂତପୂର୍ବ ସଫଳତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଥିବାରୁ ଦଳୀୟ ନେତୃବର୍ଗ ଓ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ