କଟକ: କୃଷିଭିତ୍ତିକ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ବିଜେତା ତାହା ପୁଣି ଵିହାର କୃଷି ବିଶ୍ବବିଦ୍ୟାଳୟରୁ । କେବଳ ସେତିକି ନୁହେଁ ପୁଷ୍ଟିକର ମଖାନା ଉପରେ ସଫଳ ଗବେଷଣା ପରେ ମଧ୍ୟ ଚାକିରୀ ନକରି ଉଦ୍ୟୋଗୀ ହେଵାର ବାଟ ବାଛିଛନ୍ତି ବ୍ରହ୍ମପୁରର ଝିଅ ମିନାକ୍ଷୀ ଦାସ । ସୁପର ଫୁଡ୍ କୁହାଯାଉଥିଵା ମଖାନାର ପ୍ରକ୍ରିୟାକରଣ କରି ଵିଭିନ୍ନ ସ୍ବାଦର ସ୍ନାକ୍ସ ଓ ପ୍ରୋଟିନ ପାଉଡର ତିଆରି କରି ଵ୍ୟଵସାୟ ଜଗତକୁ ଓହ୍ଲାଇଛନ୍ତି ଏହି ଯୁବ ଉଦ୍ୟୋଗୀ । ୬ ମାସରେ ମଖାନାରୁ ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଚଳିତ ବାଲିଯାତ୍ରାରେ ଓରମାସ ଷ୍ଟଲରେ ସେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।
ତେବେ ବିହାର କୃଷି ବିଶ୍ବବିଦ୍ୟାଳୟରୁ କୃଷିଭିତ୍ତିକ ବିଜ୍ଞାନରେ ଗ୍ରାଜୁଏସନ ସରିବା ପରେ ମିନୀକ୍ଷୀଙ୍କ ପାଖକୁ ଅନେକ ଚାକିରୀର ଅଫର ଆସିଥିଲା । ହେଲେ ଚାକିରର ଅଫରକୁ ଛାଡି ଉଦ୍ୟୋଗୀ ହେବାର ବାଟ ବାଛିଥିଲେ ମିନାକ୍ଷୀ । ନିଜର ଉଦ୍ଦ୍ୟମରେ ପୁଷ୍ଟିକର ମଖାନାରୁ ଭଳିକି ଭଳି ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି ମିନାକ୍ଷୀ । ନିଜସ୍ବ ଜ୍ଞାନ କୌଶଳରେ ମଖାନାର ପ୍ରକ୍ରିୟାକରଣ କରି ବିଭିନ୍ନ ସ୍ୱାଦର ଆଇଟମ ପ୍ରସ୍ତୁତ କରୁଛନ୍ତି ମିନାକ୍ଷୀ । ତେବେ ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଓରମାସରେ ନିଜର ଷ୍ଟଲ କରିଛନ୍ତି ।
ମିନାକ୍ଷୀଙ୍କ କହିବା ଅନୁଯାୟୀ, ତାଙ୍କର ଗ୍ରାଜୁଏସନ ଶେଷ ହେବା ପରେ ଅନେକ ଭଲଭଲ କମ୍ପାନୀରୁ ଚାକିର ପାଇଁ ଅଫର ପାଇଥିଲେ । କିନ୍ତୁ ଚାକିରି ଅଫରକୁ ଛାଡି ମଖାନା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ । ଏହି ମଖାନା ଯଦିଓ ବିହାରର ପ୍ରଧାନ ଖାଦ୍ୟ ମାତ୍ର ଓଡ଼ିଶାରେ ଏହାକୁ ଅନେକ ଲୋକ ଜାଣି ନଥାନ୍ତି । ମଖାନାରେ ଅଧିକ ପୁଷ୍ଟିକର ଥିବାରୁ ଶରୀର ପାଇଁ ଏହାର ବେଶ ଆବଶ୍ୟକତା ରହିଛି । ତେବେ ଏହି ମଖାନାରୁ ନିଜସ୍ୱ ଗବେଷଣା ମାଧ୍ୟମରେ ପ୍ରାୟ ୮ ପ୍ରକାର ଆଇଟମ ପ୍ରସ୍ତୁତ କରିଛନ୍ତି । ୫ ହଜାର ଟଙ୍କାରୁ ଏହି ବ୍ୟବସାୟ ଆରମ୍ଭ କରିଥିବା ମିନାକ୍ଷୀ ଆଜି ବାଲିଯାତ୍ରାରେ ନିଜର ଷ୍ଟଲ ଖୋଲିଛନ୍ତି । ତେବେ ସମସ୍ତ ବୟସର ଲୋକଙ୍କ ପାଇଁ ଏହି ମଖାନାରୁ ପ୍ରସ୍ତୁତ ପ୍ରଡକ୍ଟ ବେସ ଲାଭଦାୟକ ।
ଏହା ମଧ୍ୟ ପଢ଼ନ୍ତୁ.....ବାଲିଯାତ୍ରାରେ କିନ୍ନର ହେଉଛନ୍ତି ସ୍ୱାବଲମ୍ବୀ, ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ଼
ଏପ୍ରିଲ-ମେ ମାସରୁ ଆରମ୍ଭ କରିଥିବା ଅର୍ଥାତ ୬ ମାସରେ ମଖାନାରୁ ବିଭିନ୍ନ ପ୍ରକାର ପ୍ରଡକ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ମିନୀକ୍ଷୀ । ତେବେ ତାଙ୍କ ଅବିଭାବକଙ୍କ ସହଯୋଗରୁ ସେ ଏସବୁ କରିବାରେ ସଫଳ ହୋଇପାରିଛନ୍ତି । ଅନ୍ୟପଟେ ମିନାକ୍ଷୀଙ୍କ ବାପା ଭାଗିରଥି ଦାସ କହିଛନ୍ତି ଯେ, ଚାକିର ପାଇଁ ଦୂରରୁ ଅଫର ଆସିବା ପରେ ଝିଅ ନିଜେ ବ୍ୟବସାୟ କରିବା ପାଇଁ ମନସ୍ତ କରିଥିଲେ । ଝିଅର ଆଗ୍ରହ ଦେଖି ପରିବାର ଲୋକ ମଧ୍ୟ ଏଥିରେ ତାଙ୍କୁ ସମର୍ଥନ କରିଥିଲେ । ତେବେ ଏସବୁ ପ୍ରଡକ୍ଟକୁ ହାତରେ ପ୍ରକ୍ରିୟାକରଣ କରାଯାଉଛି । ତେବେ ଝିଅର ଏପରି ଚିନ୍ତାଧାରାକୁ ସ୍ୱାଗତ କରିଥିବା ବେଳେ ଆର୍ଥିକ ଅବସ୍ଥା ଭଲ ହେଲେ ମେସିନାରୀ ସାହାଯ୍ୟରେ ଏହି ପ୍ରଡକ୍ଟକୁ ଆହୁରି ଅଧିକ କରାଯିବ ବୋଲି ମିନାକ୍ଷୀଙ୍କ ବାପା କହିଛନ୍ତି । ମିନାକ୍ଷୀଙ୍କ ଏହି ଚିନ୍ତାଧାରା ଅନେକ ଯୁବପିଢିଙ୍କୁ ପ୍ରେରଣା ଦେବ ।
ଇଟିଭି ଭାରତ, କଟକ