କଟକ: ମହିଳା ଚାଲେଞ୍ଜର ଟ୍ରଫିର ଫାଇନଲରେ ମୁହାଁମୁହିଁ ହେବେ ଭାରତ-ବି ଓ ଭାରତ-ସି । ଭାରତ-ସିକୁ ହରାଇ ଫାଇନାଲରେ ପହଁଞ୍ଚିଲା ଭାରତ-ବି । ପୂର୍ବରୁ ଭାରତ-ସି ଫାଇନଲରେ ପ୍ରବେଶ କରି ସାରିଥିଲା ବେଳେ ଗୁରୁବାର ଭାରତ-ସି ଟିମକୁ 5 ୱେକେଟରେ ହରାଇ ଫାଇନଲରେ ପ୍ରବେଶ କରିଛି ଭାରତ-ବି ।

ଗୁରୁବାର ବାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଛି ଭାରତ-ବି । ଭାରତ-ସି ଦ୍ବାରା ନିର୍ଧାରିତ 149 ରନର ବିଜୟ ଲକ୍ଷ୍ୟକୁ 18 ଓଭରରେ ହାସଲ କରି ବିଜୟୀ ହୋଇଛି ଟିମ । ତେବେ ଏହି ବିଜୟ ସହ ଭାରତ-ସିକୁ ଫାଇନଲରେ ଭେଟିବ ଭାରତ-ବି ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଭାରତ-ସି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ ସଂଗ୍ରହ କରିଥିଲା 148 ରନ । ଦଳ ପକ୍ଷରୁ ସେଫାଳି ବର୍ମା 46 ଓ ଜିନ୍ସି ଜର୍ଜ 24 ରନ କରିଥିଲେ । ଭାରତ-ବି ପକ୍ଷରୁ ଓଡ଼ିଆ ଝିଅ ସୁଶ୍ରୀ, ରେଣୁକା ସିଂ ଓ ତନୁଯା କନୱର 2ଟି ଲେଖାଁଏ ୱେକେଟ ନେଇ ଭାରତ-ସିର ବଡ଼ ସ୍କୋର କରିବା ସ୍ବପ୍ନକୁ ଧୂଳିସାତ କରିଥିଲେ ।
ତେବେ 148 ରନ ଲକ୍ଷ୍ୟକୁ ପିଛା କରି 18 ଓଭରରେ ହିଁ 5 ୱେକେଟ ହାତରେ ଥାଇ ବିଜୟ ହାସଲ କରିଥିଲା ସ୍ମୃତି ମନ୍ଧନା ବାହିନୀ । ଦଳ ପକ୍ଷରୁ ରିଚା ଘୋଷ ସର୍ବାଧିକ 36 ରନ କରିଥିଲା ବେଳେ ବନିତା 26, ଅଧିନାୟକ ସ୍ମୃତି ମନ୍ଧନା 24 ଓ ପୂଜା ଭସତ୍ରାକର 37 ରନ କରିଥିଲେ ।
ଶନିବାର ଖେଳାଯିବ ମହିଳା ଚାଲେଞ୍ଜର ଟ୍ରଫିର ଫାଇନଲ ତଥା ଶେଷ ମହାମୁକାବିଲା । ଯେଉଁଥିରେ ମୁଁହାମୁହିଁ ହେବେ ଭେଦା କ୍ରୀଷ୍ଣମୂର୍ତ୍ତି ବାହିନୀ ଓ ସ୍ମୃତି ମନ୍ଧନା ବାହିନୀ । ଯାହାକୁ ଦେଖିବା ପାଇଁ ଫ୍ୟାନ୍ସ ମାନଙ୍କ ମନ ବେଶ ଉତ୍ସାହିତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ