କଟକ: ରାଜ୍ୟର ବିଭିନ୍ନ ସମସ୍ୟା ଓ ଦରଦାମ ବୃଦ୍ଧି ସମେତ ଲୋକ ଓ ଜମି ସୁରକ୍ଷାକୁ ନେଇ ଆସନ୍ତାକାଲି(ସୋମବାର) କଂଗ୍ରେସ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ଡାକରା ଦେଇଛି । ଏଥିଲାଗି ରାଜ୍ୟରେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ବସ ମାଲିକ ସଂଘ ସୂଚନା ଦେଇଛି ।
ଏହି ବନ୍ଦ ଡାକରା ଯୋଗୁଁ 14 ହଜାର ବସ ଚଳାଚଳ ଠପ ହେବ । ଦିନ ତମାମ ବସ ଚଳାଚଳରେ ରୋକ ଲାଗିବା ପରେ ସନ୍ଧ୍ୟା ସମୟରେ ଚଳାଚଳକୁ ସ୍ବାଭାବିକ କରାଯିବ ବୋଲି ଜଣାପଡିଛି । ସନ୍ଧ୍ୟା ସୁଦ୍ଧା ନାଇଟ କୋଚ ବସ ଯାତାୟାତ କରିପାରିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
କଂଗ୍ରେସ ରାଜ୍ୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦରଦାମ ବୃଦ୍ଧି, ଚାଷୀଙ୍କ ସମସ୍ୟା, ବେକାରୀଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟର ଜଳ, ଜମି ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଦେଇପାରୁନଥିବା ଆଦି ସମସ୍ୟା ଦିଗକୁ ନେଇ ବନ୍ଦ ଡାକରା ଦେଇଛି । ଓଡିଶାର ସ୍ବାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବେ ବୋଲି କଂଗ୍ରେସ ଆଶା କରିଛି । ତେବେ ଏହି ବନ୍ଦ ଡାକରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ହେବ ବୋଲି କଂଗ୍ରେସ ପୂର୍ବରୁ ସୂଚନା ଦେଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ