କଟକ: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ବନାଞ୍ଚଳର ହରିଡାପଶି ସଂରକ୍ଷିତ ଜଙ୍ଗଲରେ ଏକ କଲରପତରିଆ ବାଘୁଣୀର ମୃତ୍ୟୁ ହୋଇଛି । ଗତ ଦୁଇଦିନ ତଳେ ଏହି ମାଈ ବାଘର ମୃତ୍ୟୁ ଘଟିଥିଲା । ତେବେ ବାଘୁଣୀର କିପରି ମୃତ୍ୟୁ ଘଟିଲା ତାହା ଏପର୍ଯ୍ୟନ୍ତ ସସପେନ୍ସରେ । ସେପଟେ ବାଘୁଣୀର ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଯାଇ ବନ ବିଭାଗ ହରଡ଼ଘଣାରେ ।
ସୂଚନା ଅନୁସାରେ ଗତ ଦୁଇଦିନ ତଳେ ଏହି କଲରପତରିଆ ବାଘୁଣୀର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଞ୍ଚଳରେ ଘଟଣା ପ୍ରକାଶ ପାଇବାପରେ ବନ ବିଭାଗ ସୋମବାର ସକାଳୁ ବାଘୁଣୀକୁ ତିଗିରିଆ ବନପାଳ କାର୍ଯ୍ୟାଳୟକୁ ଆଣି ତାଲା ପକାଇ ରଖିଥିଲା । ଏପରିକି ଏହି ଖବର ଗଣମାଧ୍ୟମଠାରୁ ଦୂରେଇ ରଖିଥିଲା ବନବିଭାଗ। ଅପରାହ୍ନରେ ଆଠଗଡ଼ ଡିଏଫଓ, ଆଠଗଡ଼ ରେଞ୍ଜର ପହଞ୍ଚି ବାଘୁଣୀର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ । ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ବାଘୁଣୀର ମୃତଦେହ ବ୍ୟବଚ୍ଛେଦ ମଧ୍ୟ ହୋଇଥିଲା ।
ମାତ୍ର ବାଘୁଣୀର ମୃତଦେହ ବ୍ୟବଚ୍ଛେଦ ପରେ ମୃତ ବାଘୁଣୀକୁ କାଠ ସାହାଯ୍ୟରେ ପୋଡି ଦିଆଯାଇଛି । ତେବେ ବାଘୁଣୀର କିପରି ମୃତ୍ୟୁ ଘଟିଲା ଓ କିଏ ମାରିଲା ତାହାର କୌଣସି ସଠିକ ଉତ୍ତର ମିଳି ପାରିନାହିଁ । ବାଘୁଣୀର ବୟସ ୧୦ ବର୍ଷ ଏବଂ ଏହାର ଓଜନ ୫୦ କେଜି ବୋଲି ଜଣାପଡିଛି । ତେବେ ବାଘୁଣୀର ମୃତ୍ୟୁ ନେଇ ବନ ବିଭାଗ କର୍ମଚାରୀ ମୁହଁ ଖୋଲିବାକୁ ନାରାଜ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ