ସମୟର ଋତୁଚକ୍ରରେ କେତେ ଋତୁ ଆସେ, କେତେ ଋତୁ ଯାଏ। କିନ୍ତୁ ମନର ମାନସପଟ୍ଟରେ ଲିପିବଦ୍ଧ ହୋଇ ରହିଯାଏ କିଛି ଅଭୁଲା ସ୍ମୃତି ଓ ଅନୁଭୂତି । ଯାହାକୁ ମନେ ପକାଇଲେ ମୁଖମଣ୍ଡଳରେ ସ୍ମିତହାସ୍ୟ ଆସିବ ତ ନିଶ୍ଚୟ। କାହିଁକିନା ପ୍ରତ୍ୟେକ ଋତୁ ସହ କିଛି ଖଟା ଓ ମିଠାଳିଆ ଅନୁଭୂତି ସବୁ ଯୋଡି ହୋଇଯାଇଥାଏ। ସେଥିମଧ୍ୟରୁ ଗୋଟିଏ ଋତୁ ହେଉଛି ସମସ୍ତଙ୍କ ପ୍ରିୟ 'ଶୀତ ଋତୁ'। ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ଏହି ଋତୁ ନିଜର ଛାପ ସବୁଆଡେ ଛାଡି ଯାଇଥାଏ। ଏହି ଋତୁ ଯେତିକି କଷ୍ଟ ଦେଇଥାଏ, ତା ଠାରୁ ଅଧିକ ମିଠାମିଠା ଅନୁଭୂତି ଦେଇଥାଏ। ଗାଁର ନୂଆଁଣିଆ ଚାଳଘର ହେଉ କିମ୍ବା ରଙ୍ଗୀନ କୋଠାଘର, ଶୀତର ସ୍ପର୍ଶ ସମସ୍ତଙ୍କୁ ଛୁଇଁ ଯାଇଥାଏ। କିନ୍ତୁ ସମସ୍ତେ ପରିସ୍ଥିତିର ଦାସ, ସମୟର କରାଳଚକ୍ରରେ ଋତୁ ହେଉ କି ମଣିଷ ସମସ୍ତେ ପରିବର୍ତ୍ତନ ହୋଇଯାଇଥାଆନ୍ତି । ପୁରୁଣା ଦିନର ଶୀତଋତୁ ଆଉ ଏବେର ଶୀତ ମଧ୍ୟରେ ଆକାଶ-ପାତାଳ ତଫାତ୍ । ଚାଲନ୍ତୁନା ଜାଣିବା ଏ ସମ୍ପର୍କରେ 'ଇଟିଭି ଭାରତ'ର ସ୍ପେଶାଲ ରିପୋର୍ଟ ।
ନାହିଁ ସେ ସୁଲୁସୁଲୁଆ ବାଆ ପବନ, ନାହିଁ ସେ କାକର ଟୋପା। ନାହିଁ ସେ ଘାସ ଗାଲିଚା ଉପରେ ସାଧବବୋହୂର ଠୁକୁଠୁକୁ ଚାଲି, ନାହିଁ ସେ କୁହୁଡିର ଧଳା ଧୂଆଁ। ଅଛି ତ କେବଳ ଗାଡିମୋଟରର କଳା ଧୂଆଁ, ପ୍ରଦୂଷଣ ଜନିତ ବାୟୁ । ବ୍ୟସ୍ତ ବହୁଳ ଜୀବନରେ ସତେ ଯେମିତି ପୁରୁଣା ଦିନର ଶୀତକୁ ସମସ୍ତେ ପାଶୋରି ପକାଇଲେଣି । ଶୀତଦିନ ଆସିବାର ଆଭାସ ମନରେ ଖୁସିର ରେଖା ଟାଣେ। ପୁରୁଣା ଟ୍ରଙ୍କ ଓ ଆଲମିରାରେ ଥିବା ରେଜେଇ, ସ୍ବେଟର, କମ୍ବଳ ବାହାରକୁ ବାହାରେ। ଏମାନଙ୍କୁ ଦେଖିଲେ ଏମିତି ଲାଗେ, ସତେ ଯେପରି ଶୀତରାଣୀ ଧୀରେ ଧୀରେ ପାଦ ପକାଇ ଧରାପୃଷ୍ଠକୁ ଆସୁଛି । ପାହାନ୍ତାରୁ ଉଠିଲାବେଳକୁ ଘନ କୁହୁଡିର ଗଭୀର ଆସ୍ତରଣ। ଏହି ଆସ୍ତରଣ ଭିତରେ ଚାଲି ଚାଲି ଗଲେ ଦେହରେ କାକର ବୁନ୍ଦା ଲାଗି ଶିହରଣ ଉତ୍ପନ୍ନ ହୋଇଥାଏ।
ଶୀତଦିନେ ଗାଁର ଦୃଶ୍ୟ:
ଚାଳଛପର ଘରୁ ଟପଟପ ହୋଇ ବୋହି ଆସୁଥିବା କାକର ବୁନ୍ଦା। ସବୁଜ ଘାସ ଗାଲିଚାରେ ମଣିମୁକ୍ତା ପରି ଚିକଚିକ କରୁଥିବା ଶିଶିର କଣିକା। ସ୍କୁଲ ଗଲାବେଳେ ହାତକୁ ହାତ ଛନ୍ଦି ନାଲି ସ୍ବେଟର ପିନ୍ଧି ସ୍କୁଲ ଯିବାର ମଜା ସତେ ଯେପରି ସ୍ବପ୍ନ ପାଲଟିଯାଇଛି । କୁହୁଡିର ଆସ୍ତରଣ ମଧ୍ୟରେ ରାସ୍ତାରେ ଚାଲିଚାଲି ଗଲା ବେଳକୁ ସତେ ଯେପରି ଦେହ ଶୀତେଇ ଉଠେ, ଦୋକାନ ଘରୁ ଗରମ ଗରମ ଅଳେଇଚ ଚା'ର ବାସ୍ନା କୁହୁଡି ଭିତରେ ଭାସି ଆସିଥାଏ, ଯାହା ମନକୁ ଆନ୍ଦୋଳିତ କରିଥାଏ। ବାରିଆଡେ ଫୁଲର ପସରା ମେଲିଥିବା ଗେଣ୍ଡୁ ଗୋଲାପ, ସୋରିଷ, ଗଙ୍ଗଶିଉଳି ଧରଣୀରାଣୀର ଶୋଭା ବଢାଇଥାଏ। ଗାଁ ଭାଗବତ ଟୁଙ୍ଗି ନିକଟରେ ଆବାଳବୃଦ୍ଧବନିତାଙ୍କ ନିଆଁ ପୁଇଁବା ଦୃଶ୍ୟ ଗାଁର ଶୀତଦିନକୁ ମନେ ପକାଇଥାଏ। ଯାହାକୁ କେବେ ଭୁଲି ହୁଏନା ।
ଖରାରେ ଆମ୍ବ ତୋଟାରେ ବସି ବହି ପଢିବାର ମଜା, କମ୍ବଳ ଘୋଡେଇ ହୋଇ ଆଈମା ପାଖରୁ ଭୂତ ଗପ ଶୁଣିବା, ଗେଣ୍ଡୁ ଫୁଲର ମନମତାଣିଆ ବାସ୍ନା, ଗାଧୋଇବା ନେଇ ବୋଉଠାରୁ ମାଡ ଖାଇବାର ଅନୁଭୂତି ସତରେ ଭାରି ନିଆରା। ନା ଏବେ ସେ ମଜା ଅଛି ନା ଏବେ ସେ ଅନୂଭୁତି ଅଛି । ସତେ ଯେମିତି ସବୁ ମଳିନ ପଡିଯାଇଛି । ସେବର ଶୀତକୁ ଲୋକେ ଆଜି ବି ଝୁରୁଛନ୍ତି ।
ଖରାରେ ବସି ପଖାଳ-ଶୁଖୁଆପୋଡା ଖାଇବାର ମଜା:
ଓଡିଆ ପରମ୍ପରାରେ ପଖାଳ-ଶୁଖୁଆପୋଡାର ସ୍ବତନ୍ତ୍ର ସ୍ଥାନ ରହିଛି । ଏହା ସମସ୍ତଙ୍କର ଭାରି ପ୍ରିୟ । ବର୍ଷର ଯେ କୌଣସି ଦିନ ଏହାକୁ ଖାଇଲେ ମଧ୍ୟ ଶୀତଦିନେ ଏହାର ମଜା ନିଆରା। ମୁଖ୍ୟତଃ ଖରାରେ ବସି ପଖାଳ କଂସା ସାଙ୍ଗକୁ ଶୁଖୁଆ ପୋଡା ହେଉ କି ସୋରିଷ ଦିଆ ଶୁଖୁଆ ଭଜା ହେଉ, ଖାଇବାକୁ ଭାରି ମଜା ଲାଗେ। କେବଳ ଶୁଖୁଆ କାହିଁକି, ପୋଖରୀ କୂଳରୁ ବଛା ହୋଇ ଆସିଥିବା ସୁନୁସୁନିଆ ଶାଗ ସାଙ୍ଗକୁ ବଡି ଚୁରା ପଖାଳର ସ୍ବାଦକୁ ଦ୍ବିଗୁଣିତ କରିଦେଇଥାଏ। ଆଉ ଏହାକୁ କେବଳ ଖରାରେ ବସି ଖାଇଲେ ହିଁ ଭଲ ଲାଗେ। ଶୀତଦିନେ ଗାଁ ଦାଣ୍ଡରେ ପ୍ରାୟତଃ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ଖାଲି ଏତିକି ନୁହେଁ, ଚୁଲିରେ ପୋଡା ହୋଇଥିବା ଆଳୁ ସହ ବାରିର ଧାନୁଆ ଲଙ୍କା ଚକଟା ବାସି ତୋରାଣିର ବାସ୍ନାକୁ ଆହରି ବଢାଇ ଦେଇଥାଏ । ଏବେ ମଧ୍ୟ କିଛି ଗାଁର ଚିତ୍ର ଏଭଳି ଥିଲେ ମଧ୍ୟ ବିଶେଷତଃ ଶୀତଦିନେ ଏହା ବେଶୀ ଦେଖିବାକୁ ମିଳେ । ସହରର ଚାକଚକ୍ୟରେ ରହି ମଣିଷ ସମାଜ ଏହାକୁ ଭୁଲିବାକୁ ଲାଗିଲାଣି । ଦାଣ୍ଡରେ ଖଣ୍ଡେ ଚଟେଇ ପକେଇ ପଖାଳ ଭାତ ଖାଇବାର ଯେଉଁ ମଜା, ତାହା କଣ ଡାଇନିଙ୍ଗ ଟେବୁଲରେ ମିଳିବ। ସେହି ପଖାଳ, ସେହି ଶୁଖୁଆକୁ ହୁଏତ ସହରିଆ ଖାଉଥିବେ, କିନ୍ତୁ ନା ସେ ତିଅଣରେ ଗାଁର ବାସ୍ନା ଥିବ, ନା ସେ ଆଳୁ ପୋଡାରେ ଚୁଲି ଧୂଆଁର ଗନ୍ଧ ଥିବ, ତେଣୁ ଗାଁରେ ଶୀତଦିନେ ପଖାଳ ଖାଇବାର ମଜା, ଆଜିକା ଯୁଗରେ ଆଉ ନାହିଁ। ଲୋକେ ଆଜି ଏହି ଖାଦ୍ୟର ସ୍ବାଦକୁ ଝୁରି ହେଉଛନ୍ତି ।
ବାରିପଟୁ ଭାସି ଆସେ ଗେଣ୍ଡୁ-ସେବତୀର ମହମହ ବାସ୍ନା:
ଶୀତଦିନେ ଆସିଲେ ପ୍ରଥମେ ମନପଡେ ଗେଣ୍ଡୁ ଫୁଲର ମନମତାଣିଆ ବାସ୍ନା । କାହିଁକିନା ଏହି ଫୁଲ କେବଳ ଶୀତଦିନେ ହିଁ ଫୁଟିଥାଏ। ଗାଁରେ ପ୍ରାୟତଃ ସମସ୍ତଙ୍କ ବାରି ଓ ଦାଣ୍ଡରେ, ଏହି ଫୁଲର ମହକ ବିଚ୍ଛୁରି ଯାଇଥାଏ। ଯୁଆଡେ ଦେଖିଲେ ଗେଣ୍ଡୁ, କେଳି କୁସୁମ ଓ ସେବତୀ ଫୁଲ ହିଁ ଦେଖିବାକୁ ମିଳିଥାଏ । ଫୁଲରେ କାକର ବୁନ୍ଦା ପଡି ଚିକ୍ଚିକ୍ କରୁଥାଏ। କିନ୍ତୁ ବର୍ତ୍ତମାନ ଗାଁରେ ଏହି ଫୁଲ ବହୁତ କମ ଦେଖିବାକୁ ମିଳୁଛି, ଘରର ସୌନ୍ଦର୍ଯ୍ୟ ପାଇଁ ଲୋକେ ହୁଏତ ଛାତ ଉପରେ କୁଣ୍ଡରେ ଫୁଲ ଲଗାଇ ପାରିଥାନ୍ତି, କିନ୍ତୁ ଗାଁର ସେହି ଦୃଶ୍ୟ ସହ ଏହାର ତୁଳନା କରିହେବ ନାହିଁ। ଖାଲି ଗେଣ୍ଡୁ କାହିଁ, ନାଲି-ନେଳି ସେବତୀ ଫୁଲ ଗାଁ ଦାଣ୍ଡର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଆଉ ନା ଗାଁ ଦାଣ୍ଡରେ ପବନରେ ଦୋଳି ଖେଳୁଥିବା ଗେଣ୍ଡୁ-ସେବତୀ ଫୁଲ ଦେଖିବାକୁ ମିଳୁଛି ନା ସେ ଫୁଲର ବାସ୍ନା ମହକୁଛି ।
ଲାଜକୁଳି ଲତା ଉପରେ କାକର ବୁନ୍ଦା:
ଶୀତଦିନେ ଘାସ ଉପରେ ଚିକ୍ଚିକ୍ କରୁଥିବା କାକରର ବୁନ୍ଦା, ଦେଖିଲେ ସତେ ଯେପରି ଆଖି ଲାଖିଯାଏ। ସବୁଜ ଶାଢୀରେ ଯେମିତି କିଏ ହୀରାର ପଥର ବିଞ୍ଚି ଦେଇଯାଇଛି । ଶୀତଦିନ ଆସିଲେ ମନକୁ ପ୍ରଥମେ କାକର ବୁନ୍ଦା କଥା ଆସେ । ପାହାନ୍ତାରୁ ଉଠିବା ପରେ ବାହାରକୁ ଆସିଲେ ଯଦି କିଛି ଦୃଶ୍ୟମାନ ହୁଏ, ତାହା ହେଉଛି କୁହୁଡିର ଆସ୍ତରଣ ଓ କାକର ବୁନ୍ଦା। ସବୁଜ ଘାସ ଉପରେ ପାଦ ଦେଲେ, କାକରର ସ୍ପର୍ଶରେ ଦେହ ଓ ମନ ଶିହରଣରେ ଭରିଯାଏ। ବେଶ ମଜା ଲାଗେ ସତ, ବିଶେଷତଃ ଏହି ଦୃଶ୍ୟ ଗାଁ ଗହଳିରେ ଦେଖିବାକୁ ମିଳେ। ସହରର ଧୂଳି ଓ ପ୍ରଦୂଷଣରେ ନା ଦେଖିବାକୁ ମିଳୁଛି କାକର ବୁନ୍ଦାର ଦୃଶ୍ୟ ନା ଦେଖିବାକୁ ମିଳୁଛି ଘନ କୁହୁଡିର ଆସ୍ତରଣ। ତେଣୁ ଶୀତଦିନେ ଗାଁର ଏହି ମନଲୋଭା ଦୃଶ୍ୟ ଆଜି ବି ମନର ଝରକାକୁ ଖୋଲି ଦେଇଥାଏ।
ମାଟି ଘରେ ମାଣବସା ଝୋଟି:
ମଗୁଶୁର ମାସରେ ମାଣବସା ଗୁରୁବାର ପଡିଥାଏ। ପ୍ରତ୍ୟେକ ଓଡିଆଙ୍କ ଘରେ ଘରେ ମହିଳାମାନେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି । ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ଏହି ପୂଜା କରାଯାଏ। ଧନଧାତ୍ରୀ ଦେବୀଙ୍କ ଏହି ପୂଜା ନିମନ୍ତେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଚଳଚଞ୍ଚଳ ରହିଥାଏ। ରାତି 4ଟାରୁ ହୁଳୁହୁଳି ଓ ଘଣ୍ଟଘଣ୍ଟା ଶବ୍ଦରେ ଚତୁଃପାର୍ଶ୍ବ କମ୍ପି ଉଠିଥାଏ। ମାଟି ଘର କାନ୍ଥରେ କ୍ଷୀର ଭଳି ଧଳା ଅରୁଆଚାଉଳର ଚିତା ମା' ଲକ୍ଷ୍ମୀଙ୍କ ପୂଜାକୁ ଆହୁରି ଆଧ୍ୟାତ୍ମିକ କରିଦେଇଥାଏ। ଗାଁ ଦାଣ୍ଡରେ ମନ ମୋହୁଥିବା ଚିତା ଆଉ ଏବେ ଦେଖିବାକୁ ମିଳୁନାହିଁ। ପକ୍କାଘରେ ଏହି ଚିତା ପଡିଲେ ମଧ୍ୟ ତାହା ସଠିକ୍ ଭାବେ ଦୃଶ୍ୟମାନ ହୋଇ ନ ଥାଏ। ଯୁଗ ପରିବର୍ତ୍ତନ ହେବା ଯୋଗୁଁ ମହିଳାମାନେ ଅରୁଆଚାଉଳ ବଟା ଚିତାକୁ ପାଶୋରି ପକାଇଲେଣି । ବଜାରରେ ମିଳୁଥିବା ଷ୍ଟିକର ଚିତାକୁ ଆପଣେଇ ଘରର ସୌନ୍ଦର୍ଯ୍ୟ ବଢାଇବାରେ ଲାଗିଛନ୍ତି । ସକାଳୁ ସକାଳୁ ଗାଁ ଦାଣ୍ଡରେ ଟିକେ ବୁଲି ଆସିଲେ ଆରିସା, ମଣ୍ଡାର ବାସ୍ନା ସାଙ୍ଗକୁ ଲକ୍ଷ୍ମୀ ପୁରାଣର ପଂକ୍ତି ମନରେ ଭକ୍ତି ଭାବ ଉଦ୍ରେକ କରେ। ତେଣୁ ଶୀତଦିନେ ଗାଁର ମାଣବସା ଓଷାର ଚିତ୍ରକୁ ଆଜିବି ମନେ ପକାଇଲେ ବେଶ୍ ଖୁସି ଲାଗେ।
ନିଆଁ ପୁଇଁ ହେବା ଦୃଶ୍ୟ:
ଗାଁରେ ପ୍ରାୟ ସମସ୍ତଙ୍କ ଘରେ ମାଟି ଉହ୍ନେଇ ଥାଏ। ଯେଉଁଥିରେ ନିଆଁ ପୁଆଁହୁଏ। ବିଶେଷତଃ ରାତିରେ ଉକ୍ତ ଉହ୍ନେଇରେ କାଠ ଜାଳି ନିଆଁ ପୁଆଁ ହୁଏ। ଛୋଟ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ବସି ନିଆଁ ପୁଅଁନ୍ତି । ଏହି ଦୃଶ୍ୟ ଦେଖିବାକୁ ସତରେ ବେଶ ମଜାଲାଗେ । ଚୁଲି ମୂଳେ ହେଉ କିମ୍ବା ଗାଁ ଆମ୍ବ ତୋଟା, ଦି ଖଣ୍ତ ନଡିଆପତ୍ର ଜାଳି ଦେଲେ ସତରେ ଦେହଟା କେଡେ ଉଷୁମ ଲାଗେ। ଶୀତଦିନେ ଗାଁ ଚୁଲିରେ ଭାତହାଣ୍ଡି ବସିଥିବାବେଳେ ନିଆଁ ସେକି ହେବାକୁ ଭାରି ଭଲ ଲାଗେ। ସହରମାନଙ୍କରେ ଏହି ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳି ନଥାଏ। ସେହି ଚୁଲିରେ ବାଇଗଣ ଓ ଆଳୁ ପୋଡି ପଖାଳ ଦି ଗୁଣ୍ଡା ଖାଇଦେଲେ, ମନ ପ୍ରାଣ ଶାନ୍ତ ହୋଇଯାଏ। ନିଆଁ ପୁଇଁ ହେବା ସମୟରେ କାହିଁ କେତେ ଗପସପ ହୋଇଥାଏ। ଖରା ପଡିଲା ଯାଏଁ ସେମିତି ନିଆଁପୁଆଁ ଆଉ ଗପସପ ଚାଲିଥାଏ। ଯେଉଁଠି ଗାଁର ଲୋକମାନେ ନିଆଁ ପୁଇଁ ହୋଇ କ୍ଷେତକୁ ଯାଇଥାଆନ୍ତି, ସେହିଠି ସହରିଆମାନେ ଶୀତବସ୍ତ୍ର ପିନ୍ଧି କାର୍ଯ୍ୟାଳୟକୁ ଯାଇଥାଆନ୍ତି । ସତରେ ଗାଁର ଏହି ନିଆଁ ପୁଇଁବା ଦୃଶ୍ୟ କେଡେ ନିଆରା, କେଡେ ସତେଜ।
ସୁଖ-ସ୍ବାଚ୍ଛନ୍ଦ୍ୟରେ ରହିଲେ ମଧ୍ୟ ଜୀବନରେ ଏମିତି କିଛି ଘଟିଥାଏ, ଯାହା ସେହି ଅନୁଭୂତିକୁ ମନେ ପକାଇଦେଇଥାଏ। ଗାଁ ଛାଡି ସହରରେ ରହିଲେ ମଧ୍ୟ ପିଲାଦିନେ ଗାଁରେ ବିତାଇଥିବା ଦିନ ସତେ କେଡେ ଅଭୁଲା। ସେଥିମଧ୍ୟରୁ ଶୀତଦିନର ସ୍ମୃତି ବେଶ ନିଆରା। ନା ଏହି ଦିନ ମିଳେ, ନା ଏହି ଦିନକୁ ଆଉଥିରେ ଆପଣାଇ ହୁଏ। ସମୟର ସ୍ରୋତରେ ସବୁକିଛି ବଦଳି ଯାଏ, ସେହିଭଳି ଗାଁରେ ଶୀତଦିନର ମନମତାଣିଆ ଚିତ୍ର ମଧ୍ୟ ଆଜି ବି ମନରେ ଅଲିଭା ଗାର ହୋଇ ରହିଯାଇଛି । ଯାହାକୁ ମନେ ପକାଇଲେ ଆଜି ବି ଦେହ ଓ ମନ ଶୀତେଇ ଉଠେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ