କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ବିଭିନ୍ନ ସ୍କୁଲରେ ପରୀକ୍ଷା ଦେଉଛନ୍ତି ଲକ୍ଷାଧିକ ପିଲା । ସରକାରଙ୍କ ନିର୍ଦ୍ଦେଶାକ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କଡାକଡି ସହ ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା ଜାରି ରହିଛି । ତେବେ ଏହି ସମୟରେ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । ଅନିୟମିତତା କରିଥିବା ଅଭିଯୋଗରେ ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।
ତେବେ ସୂଚନା ଆନୁଯାୟୀ କଟକ ଜିଲ୍ଲା ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଜିଲ୍ଲା ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଡେଣ୍ଟ ଦାୟିତ୍ବରେ ଥିଲେ ଏହି ଦୁଇ ପ୍ରଧାନ ଶିକ୍ଷକ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ବାରଣ କରାଯାଇଥିବା ସତ୍ତ୍ବେ, ଯୋଡୁମ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇଥିବାର ବୋର୍ଡର ସ୍ବତନ୍ତ୍ର ସ୍କ୍ବାର୍ଡ ଦେଖିବାକୁ ପାଇଥିଲା । ପରୀକ୍ଷା ପରିଚଳନାରେ ଅବହେଳା କରାଣରୁ ନିଲମ୍ବିତ କରାଯାଇଥିଲା । ସେହିପରି ନୟାଗଡ଼ ଡିଇଓ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ନୟାଗଡ଼ ବାଇଗୁଣିଆ ୱେଭର କୋଅପରେଟିଭ ଶିକ୍ଷୟତ୍ରୀ ଅର୍ପିତା ନାୟକ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ନିଲମ୍ବିତ ହୋଇଛନ୍ତି । ସେ ସେହି ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଟେଡେଣ୍ଟ ଦାୟିତ୍ବରେ ଥିଲେ ।
ତେବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଏଭଳି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ସ୍ବାଗତ କରାଯାଇଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲ୍ପ କରିଛନ୍ତି । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୩୧୬ ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାସିସ ହାଜେରା ସୂଚନା ଦେଇଥିଲେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର କୁ କେବଳ ଆଡମିଟ କାର୍ଡ,ପେନ୍,ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଛି । ସେହିପରି ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେଉଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଇଟିଭି ଭାରତ, କଟକ