କଟକ: ୧୬ତମ ସିଏମ୍ସି କାଉନ୍ସିଲ ବୈଠକରେ ଦୁର୍ନୀତି ତାତି । ଟିକସରେ ମହାଦୁର୍ନୀତି ଓ ସ୍ଵର୍ଣ୍ଣଦେବୀ ଭଳି ସଂସ୍ଥା ପ୍ରତି ସିଏମ୍ସି ମୋହକୁ ନେଇ କମ୍ପିଲା କାଉନ୍ସିଲ ବୈଠକ । ନାରାବାଜି ସହ ଏହି ଦୁଇଟି ପ୍ରସଙ୍ଗକୁ ନେଇ ମେୟର ଓ କମିଶନରଙ୍କୁ ଘେରିଛନ୍ତି ବିରୋଧୀ । ବର୍ତ୍ତମାନ ସମୟରେ କଟକରେ ଟିକସ ବ୍ୟବସ୍ଥାରେ ଅହେତୁକ ଦୁର୍ନୀତି ହେଉଥିବା ଦାବି କରିଛନ୍ତି ବିରୋଧୀ ଦଳ କର୍ପୋରେଟର । ପାଖାପାଖି ୧୦ ବର୍ଷ ମଧ୍ୟରେ ହଜାର କୋଟି ଟଙ୍କାର ଟିକସ ହେର୍ଫେର୍ ହୋଇଥିବା କାଉନ୍ସିଲରେ ଦାବି ଉଠିଛି । କାର୍ଯ୍ୟାନୁଷ୍ଠାନ ଦିଗରେ କେବଳ ସସପେନ୍ସ ରଖାଯାଉଛି, କିନ୍ତୁ କିଛିଦିନ ଗଲା ପରେ ସ୍ଥିତି ଯଥାପୂର୍ବଂ ତଥାପରଂ ।
ଏହା ମଧ୍ୟ ପଢ଼ନ୍ତୁ...ସ୍ୱାମୀ CMC କର୍ମଚାରୀ, ସ୍ତ୍ରୀଙ୍କ ନାଁରେ ଘରୋଇ ସଂସ୍ଥାକୁ ମିଳିଛି ଟେଣ୍ଡର !
ସେହିପରି ସିଏମ୍ସିର ସ୍ବର୍ଣ୍ଣଦେବୀ ଏଜେନ୍ସି ପ୍ରତି ଏତେ ମୋହ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କର୍ପୋରେଟର । ସ୍ବାମୀ ସିଏମ୍ସିରେ କର୍ମଚାରୀ ଓ ସ୍ତ୍ରୀ ନାଁରେ ଥିବା ଏଜେନ୍ସିକୁ ଯାଉଛି ଲକ୍ଷଲକ୍ଷ ଟଙ୍କାର ଟେଣ୍ଡର । ଯାହାକୁ ନେଇ ସିଏମ୍ସିର ଗତ ଦୁଇଟି କାଉନ୍ସିଲ ବୈଠକରେ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ଆଉ ଆଜି ମଧ୍ୟ ଗୃହରେ ଏହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ପକ୍ଷରୁ ଏକ ରୁଲିଙ୍ଗ ଜାରି ହୋଇଥିଲା ଯେ, ୭ ଦିନ ମଧ୍ୟରେ ଏହି ଦିଗରେ କିଛି ନା କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଏହାରି ଭିତରେ ୭ ଦିନ ଯାଇ କେତେ ଦିନ ହେଲାଣି । ହେଲେ ସିଏମ୍ସିର ପଦକ୍ଷେପ ଦିଗ ଶୂନ । ଏନେଇ ଆଜି କାଉନ୍ସିଲରେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସର ସମସ୍ତ କର୍ପୋରେଟର ସିଏମ୍ସି କମିଶନର ନିଖିଲ ପବନ କଲ୍ୟାଣ ଓ ମେୟର ସୁବାସ ସିଂଙ୍କୁ ପ୍ରଶ୍ନ ଘେରକୁ ଆଣିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...CMC କାଉନ୍ସିଲ ବୈଠକ: ବିରୋଧୀଙ୍କ ଶାଣିତ ଗର୍ଜନ, ମେୟରଙ୍କ କକ୍ଷ ତ୍ୟାଗ
ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି, "ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧୀଙ୍କ ଅଧିକାର ରହିଛି ବିରୋଧ କରିବା ପାଇଁ । ତେବେ ଟିକସ ଫାଙ୍କିବା କଥା ନେଇ ଯେଉଁ ଅଭିଯୋଗ ରହିଛି, ତାହା ମଧ୍ୟ ଲିଗାଲ୍ ସେଲ୍ରେ ବିଚାର କରାଯିବ ।" ଏହାପରେ କାଉନ୍ସିଲ ବୈଠକରେ ସବୁ ୱାର୍ଡ ସମସ୍ୟା ଓ ଆବଶ୍ୟକତା ପଚାରି ବୁଝିଥିଲେ ମେୟର । ବିଶେଷକରି ବିଭିନ୍ନ ୱାର୍ଡରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ଓ ପରିମଳ ଦିଗ ଉପରେ ଆଲୋଚନା କରିଥିଲେ ମେୟର ଓ କମିଶନର । ଏହା ବ୍ୟତୀତ ମୌସୁମୀ ବର୍ଷା କାରଣରୁ ସମସ୍ତ ନାଳକୁ ସଫା କରିବା, ସହରକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିଲା । ତେବେ ଆଜିର କାଉନ୍ସିଲ ବୈଠକରେ ପଙ୍କ ଉଦ୍ଧାରଠାରୁ ନେଇ ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ତେବେ କିଛି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ ।
ଇଟିଭି ଭାରତ, କଟକ