କଟକ: ଅସହ୍ୟ ତାତିରେ ସାରା ରାଜ୍ୟବାସୀ କଲବଲ ହେଉଥିବା ବେଳେ ଅଂଶୁଘାତରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଲରେ କାମ କରୁଥିବା ବେଳେ ମାତ୍ରାଧିକ ଖରା ଯୋଗୁଁ ବିଲରେ ଟଳି ପଡିଲେ କଟକ ମାହାଙ୍ଗା ଥାନା ଅନ୍ତର୍ଗତ ସବଳକଣା ଗ୍ରାମର ନିରଞ୍ଜନ ଦାସ ।
ଖବର ପାଇ ପରିବାର ଲୋକେ ନିରଞ୍ଜନଙ୍କୁ ମେଡିକାଲ ସ୍ଥାନାନ୍ତରିତ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ , ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଯାହାକୁ ନେଇ ହସ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଅତ୍ୟଧିକ ଖରା ସହ ଗୁଳୁଗୁଳି ମଧ୍ୟ ମାତ୍ରାଧିକ ବଢିବାରେ ଲାଗିଛି ।
ଅଧିକାଂଶ ସ୍ଥାନରେ ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀରୁ ଅଧିକ ରହୁଛି । ଫଳରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ନିରଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ