କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଜଗନ୍ନାଥ ଛାତ୍ରାବାସର ବିଭିନ୍ନ ସମସ୍ୟାକୁ ନେଇ ପୁଣି ତେଜିଲା ଆନ୍ଦୋଳନ । ଅନ୍ତେବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ । ସୋମବାର ଠାରୁ ଛାତ୍ରାବାସର ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଅହୋରାତ୍ର ଧାରଣା । ଶୀତ ଖରାକୁ ଖାତିର ନକରି ଦାବି ପୂରଣ ପାଇଁ ଆନ୍ଦୋଳନରେ ବସି ରହିଛନ୍ତି ଜଗନ୍ନାଥ ଛାତ୍ରାବାସର ଛାତ୍ର ।
ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କୁ ମୈଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ପାଣି, ଆସବାବପତ୍ର ରଖିବା ପାଇଁ ଆଲମାରି ଏବଂ ମୁଖ୍ୟତଃ ଶୋଇବା ଖଟର ଦୟନୀୟ ଅବସ୍ଥାକୁ ନେଇ ଗତ ୧୫ ଦିନ ତଳେ ଖଟ ଏବଂ ଚେୟାର, ଟେବୁଲ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅନ୍ତେବାସୀ । ଏନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ସୋମବାର ରାତିରୁ ଜଗନ୍ନାଥ ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଅହୋରାତ୍ର ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଯାଏଁ ଏହି ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ବି ଉଠିବନି ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ର ।
ଇଟିଭି ଭାରତ, କଟକ