କଟକ : କଟକ ନରାଜ ନିକଟ ମହାନଦୀରେ ଛାତ୍ର ବୁଡି ନିଖୋଜ ଘଟଣାରେ ନୂଆମୋଡ। ପାଣିରେ ବୁଡି ନୁହେଁ ବରଂ ସାଙ୍ଗ ହୋଇ ଯାଇଥିବା ଅନ୍ୟ ସାଙ୍ଗ ହିଁ ଷଡଯନ୍ତ୍ର କରି ହତ୍ୟା କରି ଦେଇଥିବା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ। ଅନ୍ୟପଟେ ନିଖୋଜ ଛାତ୍ରଙ୍କ ଅନ୍ୟ ସାଙ୍ଗମାନଙ୍କୁ ପଚରା ଉଚରା କରୁଥିବା କହିଛି ପୋଲିସ ।
ସୂଚନା ମୁତାବକ, ଗତ ମଙ୍ଗଳବାର ଷ୍ଟିୱାର୍ଟ କଲେଜର ୮ ଜଣ ନାବାଳକ ଛାତ୍ର ନରାଜ ସିଦ୍ଧେଶ୍ଵର ପାହାଡ ନିକଟକୁ ଯାଇଥିବା ବେଳେ ଦୁଇ ଜଣ ନଦୀରେ ବୁଡି ନିଖୋଜ ହୋଇ ଯାଇଥିଲେ। ଜଣଙ୍କର ମୃତଦେହ ଦୁଇ ଦିନ ପରେ ଉଦ୍ଧାର ହୋଇଥିଲେ ସୁଦ୍ଧା ଅନ୍ୟ ଜଣଙ୍କର ପତ୍ତା ଏବେ ବି ମିଳି ନାହିଁ। ତେବେ ଏହି ଦୁଇ ଛାତ୍ର ବୁଡି ନିଖୋଜ ଘଟଣାର ପର ଦିନ ପରିବାର ଲୋକ ନିଜ ଭାଗ୍ୟକୁ ଦୋଷ ଦେବା ସହ ପୁଅ ର ଭୁଲ ବୋଲି କହିଥିବା ବେଳେ ଏବେ ଆଣିଛନ୍ତି ହତ୍ୟା ଅଭିଯୋଗ।
ପୁଅ ନଦୀରେ ବୁଡି ନିଖୋଜ ପଛରେ ଯାଇଥିବା ଅନ୍ୟ ସାଙ୍ଗ ମାନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା। ଏ ନେଇ ଶନିବାର ବାରଙ୍ଗ ଥାନା ରେ ହତ୍ୟା ହୋଇଥିବା ନେଇ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଯାରି ରଖିଛି। ନିଖୋଜ ଛାତ୍ର ଙ୍କ ଅନ୍ୟ ସାଙ୍ଗ ମାନଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ସତୀଚଉରା ଠାରୁ ନରାଜ ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି। ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ଏହା ମଧ୍ୟ ପଢନ୍ତୁ- ନରାଜ ବ୍ୟାରେଜରେ ଦୁଇ ନିଖୋଜ ଛାତ୍ର ! ଖୋଜୁଛି ଅଗ୍ନିଶମ ବିଭାଗ
ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, " ନରାଜ ନିକଟ ମହାନଦୀକୁ ଛାତ୍ରମାନେ ବୁଲାବୁଲି କରିବାକୁ ଯାଇଥିଲା । ସେଠାରେ ସେମାନେ ବୁଡି ଯାଇଥିଲେ । ତା ପର ଦିନ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ମୃତ ଛାତ୍ରଙ୍କ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେଣୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି । ଏପର୍ଯ୍ୟନ୍ତ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟଜଣଙ୍କର ମିଳି ନାହିଁ । "
ଇଟିଭି ଭାରତ,କଟକ