କଟକ: ଗୋଳିଆ ହେଉଛି କଟକ ରାଜନୀତି । କଂଗ୍ରେସ ସହ ଭଲ ସଂପର୍କ ନଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ ବଢୁଛି ଚର୍ଚ୍ଚା । କୁହାଯାଉଛି ମୋକିମ କଂଗ୍ରେସ ଛାଡି ବିଜେପିରେ ମିଶିବେ । ଯଦିଓ ଏନେଇ ମୋକିମ ସିଧାସଳଖ ଉତ୍ତର ରଖିନାହାନ୍ତି, ତଥାପି ଆଜି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ବିଧାୟକ ମୋକିମ ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କଟକ ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଦୁଇ ଗୁଣିତ ହୋଇଛି ।
ଆଜି କଟକରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋକିମ ପ୍ରଶଂସା କରିଛନ୍ତି । ଯେଉଁ ବିଧାୟକ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ପ୍ରତିବାଦ କରୁଥିଲେ, ହଠାତ ନରମିଗଲେ କେମିତି ? ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ କେମିତି ? ଯାହା କଟକ ରାଜନୈତିକ ପାଣିପାଗକୁ ଗୋଳିଆ କରିଦେଇଛି । ଯଦିଓ କଂଗ୍ରେସ ସହ ତାଙ୍କର ସମ୍ପର୍କ ସେତେଟା ପୂର୍ବଭଳି ନଥିଲା । ତଥାପି କଂଗ୍ରେସରେ ମୋକିମ ଅଛନ୍ତି ବୋଲି ସେ କହୁଥିଲେ । ମାତ୍ର ଆଜି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ଯାହାକି ଅନେକ ଦିଗକୁ ଇସାରା ଦେଉଛି । ତେବେ ଏନେଇ ମୋକିମ ଚତୁରତାର ସହ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବେକାର ଥିବା ଯୁବପିଢୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ସେ ଏହାକୁ ପ୍ରଶଂସା କରିଛନ୍ତି ।
ଏହା ବି ପଢନ୍ତୁ- ଯୁବବର୍ଗଙ୍କୁ ଦୀପାବଳୀ ଭେଟି, ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ତେବେ ମୋକିମ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା । "ମୋକିମ ବାବୁ ଜଣେ ଭଲ ନେତା ଆଉ ଜଣେ ଭଲ ସଙ୍ଗଠକ । ତାଙ୍କ ସହ ବିଜେପିର ଉତ୍ତମ ସମ୍ପର୍କ ରହିଛି । ସେ ଯଦି ବିଜେପିକୁ ଆସିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ବାଗତ କରାଯିବ ।" ମୋକିମ ଖୁବଶୀଘ୍ର ବିଜେପି ସହ ହାତ ମିଳାଇ ପାରନ୍ତି ବୋଲି ଇଟିଭି ଭାରତକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇଛନ୍ତି କଟକ ଜିଲ୍ଲା ବିଜେପି ସଭାପତି । ସେ ଦଳକୁ ଆସିଲେ ଆମେ ସ୍ୱାଗତ କରିବୁ ବୋଲି ଜିଲ୍ଲା ସଭାପତି କହିଛନ୍ତି । ତେବେ ଖୁବଶୀଘ୍ର କଟକରେ ଏକ ରାଜନୈତିକ ସମୀକରଣ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରକାଶ । ଯାହାକି କଟକ ରାଜନୈତିକ ପାଣିପାଗରେ ଉଷ୍ମତା ଆଣିଦେଇଛି ।
ଏହା ବି ପଢନ୍ତୁୃ- ରୋଜଗାର ମେଳା ଶୁଭାରମ୍ଭ, ଭୁବନେଶ୍ଵରରେ ୨୩୯ ଜଣ ପାଇଲେ ନିଯୁକ୍ତି ପତ୍ର
ମୋକିମ ଯଦିଓ କଂଗ୍ରେସ ବିଧାୟକ ଅଛନ୍ତି ତାହା କେବେଳ ନାମକୁ ମାତ୍ର । କାରଣ ମୋକିମଙ୍କ ଉପରେ ଦଳ ଆଉ ବିଶ୍ୱାସ ରଖିନାହିଁ । ସେଥିପାଇଁ ଧାମନଗର ଉପନିର୍ବାଚନରେ ମୋକିମଙ୍କୁ ଷ୍ଟାର ପ୍ରଚାର ତାଲିକାରେ ରଖିଲା ନାହିଁ । ତେବେ କେବେ ମୋକିମ ବିଜେପିରେ ଯୋଗଦେବେ ସେ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।
ଇଟିଭି ଭାରତ, କଟକ