କଟକ: ହାଇକୋର୍ଟ ପରେ ଆଜି କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ ଅବଗତ କରିଛନ୍ତି । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ କରି ସବ ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଛନ୍ତି । ଏନେଇ ଗତକାଲି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ସୋମାଲିକା ।
ଅଧିକ ପଢନ୍ତୁ- ଥମିନି ପ୍ରେମ ବିବାଦ: ଆଉ ଜଣଙ୍କୁ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ
ଗତ ମାସ 21 ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଯାହାର ପ୍ରତିବାଦ କରି ଆଜି ସୋମାଲିକା କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ କରିଛନ୍ତି । ଏନେଇ ସୋମାଲିକା କହିଛନ୍ତି ‘‘ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ କରିବି’’। ସୋମାଲିକା ଆହୁରି କହିଛନ୍ତି ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ । କାରଣ ଗତ ୮ ମାସ ତଳେ ଉଭୟ ସୋମାଲିକା ଓ ବିଜୟ, ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରି ନଥିବା ସୋମାଲିକା ଅଭିଯୋଗ କରିଛନ୍ତି । ତାଙ୍କୁ ବିବାହ ପାଇଁ ଆବେଦନ କରି ଏବେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ କିଭଳି ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରିଛନ୍ତି, ସେଥିରେ ଅବଜେକ୍ସନ କରିଛନ୍ତି ସୋମାଲିକା । ଜଣେ ସ୍ବେଚ୍ଛାସେବୀଙ୍କ ସହ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଆକାରରେ ଅବଜେକ୍ସନ କରିଛନ୍ତି । ଏତତ ବ୍ୟତୀତ ବିଜୟ ଶଙ୍କରଙ୍କ ବୟସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋମାଲିକା ।
ଅଧିକ ପଢନ୍ତୁ- ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ସବରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କଲେ ସୋମାଲିକା
ସୂଚନାଯୋଗ୍ୟଯେ ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ପ୍ରତୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆବେଦନର ଏକ ମାସ ପରେ ଉଭୟ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ । ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି ।
ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ ପାଇ ନାହାନ୍ତି । ଏଭଳି ସ୍ଥିତିରେ ସୋମାଲିକାଙ୍କ ପରିବର୍ତ୍ତେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ଯାହାକୁ ନେଇ ଆଗକୁ ବିଜୟ ଶଙ୍କରଙ୍କ ପାଇଁ ଅଡ଼ୁଆ ବଢିପାରେ ।
ସୋମାଲିକାଙ୍କ ଅଭିଯୋଗ ନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । ଦେଖନ୍ତୁ ସାକ୍ଷାତକାର ।
ଇଟିଭି ଭାରତ, କଟକ