କଟକ: ଆସନ୍ତା ୧୮ ତାରିଖରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଅନୁଷ୍ଠିତ ହେବ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକସ୍ଥିତ ତାଙ୍କ ବାସଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଳାଧନ କାରବାର ସମ୍ପର୍କରେ ଆଲୋଚନା ହେବ । ବୈଠକରେ ED, IT, CBI, ଏକ୍ସସାଇଜ୍, କଷ୍ଟମ୍, ଡାଇରେକ୍ଟ ଟ୍ୟାକ୍ସେସ୍ ଭଳି କେନ୍ଦ୍ରୀୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ । ଏଥି ସହିତ ଓଡ଼ିଶାରୁ ମଧ୍ୟ ପୋଲିସ ଡିଜି, ଖଣି, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ନିର୍ଦ୍ଦେଶକ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଏହି SIT ଗଠନ କରିଛନ୍ତି । ବୈଠକରେ କଳାଧନ ସମେତ ଅନ୍ୟ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରେ । ବିଶେଷ କରି ଦେଶରେ ନିର୍ବାଚନ ସମୟରେ ହୋଇଥିବା କଳାଧନ କାରବାର ଓ ଜବତ ହୋଇଥିବା ଟଙ୍କା ବାବଦରେ ମଧ୍ୟ ଆଲୋଚନା ହେବ । ଏହା ସହିତ ଅର୍ଚ୍ଚନା ନାଗ ମାମଲା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ । ଅର୍ଚ୍ଚନା ନାଗ ଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର କଳାଧନର ମୂଳ ସୁତ୍ରକୁ ଠାବ କରିବା ପାଇଁ SITଙ୍କ ନିର୍ଦ୍ଦେଶ କ୍ରମେ ED ଏହି ମାମଲାର ତଦନ୍ତ କରୁଛି । ପୂର୍ବରୁ କଟକରେ ବସିଥିବା ଏହି ବୈଠକ ଅବସରରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୂଳତ୍ପାଟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣାପଡିବା ପରେ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବାରୁ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏଣିକି ଇଡି ଓ ଆୟକର ବିଭାଗକୁ ମଧ୍ୟ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଦେଶରେ ନିଶା କାରବାର ବଢି ଚାଲିଛି । ଯାହାକି କଳାଧନ ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସତ୍ୟ ସାମ୍ନାକୁ ଆସିଛି ।
ଏହା ବି ପଢନ୍ତୁ...ଆରମ୍ଭ ହେଲା କସର୍ଦ୍ଦାର ପ୍ରସିଦ୍ଧ ଦିପୋଟି ମେଳଣ, ଏକାଠି ହେଲେ ୬୪ରୁ ଅଧିକ ଦୋଳ ବିମାନ
ପୂର୍ବରୁ କଟକରେ ବସିଥିବା ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନାରକୋଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ତଥା ନାର୍କୋଟିକ୍ସ ବିଭାଗର ଡେପୁଟି ଡ଼ାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତ୍ତିତ କରିଦେଇଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏହା ସହିତ ଦୁର୍ନୀତି ଖୋର ସରକାରୀ ଅଧିକାରୀମାନେ କଳାଧନର ବ୍ୟାପକ କାରବାର କରୁଥିବାରୁ ଏଣିକି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।
ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ଜବତ ହୋଇଥିଲା । ଗତ ୨ ବର୍ଷ ଭିତରେ ଦେଶରେ ୨୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SITଙ୍କୁ ଅବଗତ କରାଯାଇଥିଲା । କଳାଧନକୁ ଲୁଚାଇ ରଖିବା ପାଇଁ ପାନାମା ଓ ପାଣ୍ଡେରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗ୍ରଗତି ହୋଇଥିବା ବିଭାଗୀୟ ଅଧିକାରୀମାନେ SITଙ୍କୁ ଅବଗତ କରାଇଥିଲେ । ପାନାମା ପେପରସ କ୍ଷେତ୍ରରେ ୪୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି । ଏହା ଭିତରୁ ପ୍ରାୟ ୩୦୦ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ପାଣ୍ଡେରା ପେପରସ ମାମଲାରେ ମାସକ ଭିତରେ ୭୦ଟି ମାମଲା ରୁଜୁ ହୋଇଥିବା କହିଥିଲେ ଉପାଧ୍ୟକ୍ଷ ଜଷ୍ଟିସ ।
ପ୍ରକାଶଥାଉ କି , ଗତ ବର୍ଷ ନଭେମ୍ବର 13 ତାରିଖରେ ଦିଲ୍ଲୀରେ ଏସଆଇଟି ବୈଠକ ହୋଇଥିଲା । ବୈଠକରେ ଅର୍ଚ୍ଚନା ନାଗ କଳାଧନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ବାଲେଶ୍ବରରୁ ଜବତ ହୋଇଥିବା ବ୍ରାଉନଗୁଗାର ମାଫିଆ ଆୟୁବ ଖାନ ଉପରେ ତଥ୍ୟ ଉପସ୍ଥାପନା କରାଯାଇଥିଲା ।
ଇଟିଭି ଭାରତ, କଟକ