କଟକ: କୋଭିଡ କଟକଣା ମଧ୍ୟରେ ଖୋଲିଛି ସ୍କୁଲ । କୋଭିଡ ଗାଇଡଲାଇନ ଆଧାରରେ 100 ଦିନରେ କୋର୍ସ ହେବ ଶେଷ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି 100 ଦିନ ମଧ୍ୟରେ ଆସିବ ଅନେକ ରବିବାର । ଯେଉଁଥିରେ ଶିକ୍ଷକମାନେ ମଧ୍ୟ ସ୍କୁଲରେ ରହି ପିଲାଙ୍କୁ କରିବେ ଶିକ୍ଷାଦାନ । ତେବେ ଏହି ଛୁଟି ମଧ୍ୟରେ କେବଳ ପିଲାଙ୍କ ଭାଗ୍ୟକୁ ଉଜ୍ଜ୍ବଳ କରିବା ପାଇଁ ଶିକ୍ଷକ ଦେଉଛନ୍ତି ତାଙ୍କର ଶତ ପ୍ରତିଶତ ଚେଷ୍ଟା । ଏପଟେ ବହୁତ ଦିନ ବ୍ୟବଧାନରେ ସ୍କୁଲ ଖୋଲିଥିବାରୁ ପାଠ ପଢିବା ପାଇଁ ବ୍ୟଗ୍ର ଛାତ୍ରଛାତ୍ରୀ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟକୁ ଆଖି ଆଗରେ ରଖି ନିଜର ଛୁଟିକୁ ମଧ୍ୟ ପାଶୋରି ଯାଇଛନ୍ତି ଶିକ୍ଷକ ।
ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କାହାକୁ ତ ଚାପ ଦିଆ ଯିବନି କିନ୍ତୁ ପିଲାଙ୍କ ଭବିଷ୍ୟତ ପାଇଁ ନିହାତି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଶିକ୍ଷକ । ଅନ୍ୟପଟେ ଏହି ମହାମାରୀ ସମୟରେ ସ୍କୁଲକୁ ବହୁତ ଝୁରୁଥିଲେ ଛାତ୍ରଛାତ୍ରୀ । ବର୍ତ୍ତମାନ ଶିକ୍ଷକଙ୍କ ସହ ପ୍ରତ୍ୟକ୍ଷ ପାଠ ପଢା ଆରମ୍ଭ କରିବା ପରେ ବହୁତ ଖୁସି ଅଛନ୍ତି ସମସ୍ତ ଛାତ୍ରଛାତ୍ରୀ । ଏବଂ ଅନଲାଇନ ମାଧ୍ୟମରେ ଯେଉଁ ଯେଉଁ ବିଷୟ ବୁଝିବାରେ ଅସୁବିଧା ରହୁଥିଲା ତାହା ମଧ୍ୟ ବୁଝିବା ସହଜ ହେଉଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି ।
ନିଶ୍ଚୟ ରୂପେ ରବିବାର କ୍ଳାସ ହେବା ହୁଏତ ଶିକ୍ଷା ବ୍ୟବସ୍ଥାରେ ପ୍ରଥମ । କିନ୍ତୁ ଏହାକୁ ମଧ୍ୟ ବେଶ ଆଦର ଭାବରେ ଗ୍ରହଣ କରି ନେଇଛନ୍ତି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ । ତେବେ ଏହି ବିନା ଛୁଟିରେ 100 ଦିନ ନିଶ୍ଚୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବା ନେଇ ଆଶା ରଖିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ