କଟକ: ରକ୍ତ ପରୀକ୍ଷା ପାଇଁ ଲାଗୁଛି ଗୋଟିଏ ଦିନ । ତାହା ପୁଣି ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବା ପରେ । ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ଏ ସମସ୍ୟା ହେଉଛି କଟକ ବଡ ମେଡିକାଲର । ଦେଖନ୍ତୁ ଏହି ଦୃଶ୍ୟ । ଘଣ୍ଟା ଘଣ୍ଟା ଧରି ରୋଗୀଙ୍କ ସମ୍ପର୍କୀୟ ରକ୍ତ ପରୀକ୍ଷା ପାଇଁ ଛିଡା ହେଉଛନ୍ତି ଏସସିବି ରକ୍ତ ନିଦାନ କେନ୍ଦ୍ର ସମ୍ମୁଖରେ ।
କେବଳ ଯେ ସାଧାରଣ ରୋଗୀଙ୍କ ଏପରି ଅବସ୍ଥା ତାହା ନୁହେଁ ଗୁରୁତର ରୋଗୀଙ୍କ ମଧ୍ୟ ସମାନ ଅବସ୍ଥା । ଲମ୍ବା ଲାଇନରେ ଛିଡା ହେବା ପରେ ରକ୍ତ ପରୀକ୍ଷା ଏବଂ ଏହାର ରିପୋର୍ଟ ମିଳିଥାଏ ବୋଲି ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଅର୍ଥାତ୍ ପରୀକ୍ଷା ପାଇଁ ଗୋଟିଏ ଦିନ ଏବଂ ରିପୋର୍ଟ ଆଣିବାକୁ ଲାଗେ ଆଉ ଗୋଟିଏ ଦିନ । ତେବେ ହସ୍ପିଟାଲର ଏଭଳି ନିୟମକୁ ଖୋଦ୍ ରୋଗୀ ଓ ତାଙ୍କର ସମ୍ପର୍କୀୟ ନାପସନ୍ଦ କରିଛନ୍ତି । ଏଥିସହ ରକ୍ତ ପରୀକ୍ଷା ପାଇଁ ରୋଗୀ ସମ୍ପର୍କୀୟଙ୍କୁ ଦେବା ପରିବର୍ତ୍ତେ ଉକ୍ତ ବିଭାଗରେ ଏହି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ଅପରପକ୍ଷେ ଏସସିବିରେ ଭଲ ଚିକିତ୍ସା ବ୍ୟବସ୍ଥା ଥିବାରୁ ଲୋକଙ୍କର ଏହା ପ୍ରତି ଭରଷା ବଢୁଛି । ରାଜ୍ୟ ସରକାର ସମସ୍ତ ଚିକିତ୍ସା ମାଗଣା କରିଥିବାରୁ ଏସସିବିରେ ରୋଗୀଙ୍କ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି । ରାଜ୍ୟ ତଥା ରାଜ୍ୟ ବାହାର ରୋଗୀଙ୍କ ଭିଡ଼ ଏଠାରେ ଜମୁଛି । ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଏସସିବିରେ ଇନଫାଷ୍ଟ୍ରକଚର କମ ରହିଛି । ଯଦ୍ବାରା ଏପରି ସମସ୍ୟା ଦେଖାଯାଉଛି । ଏସସିବି ସମ୍ପ୍ରସାରଣ ହେଲା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଏସସିବିର ଜରୁରୀକାଳୀନ ଅଧିକାରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ବିଭାଗରେ ରକ୍ତନମୁନା ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ପ୍ରତ୍ୟେକ ବିଭାଗ ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ଏହି ସମସ୍ୟାର ସମାଧାନ କରାଯିବ ।
ପୂର୍ବରୁ କଟକ ବଡ଼ ଡାକ୍ତରଖାନରେ ରୋଗୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଥିଲା । ଏବେ କେବଳ ଓଡିଶା ରାଜ୍ୟ ଟ୍ରିଟମେଣ୍ଟ ଫଣ୍ଡ ଯୋଜନାକୁ ବାଦ ଦେଲେ ବିଜୁ କୃଷକ କଲ୍ୟାଣ ଯୋଜନା ,ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ସମେତ ନିରାମୟ ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି । ଏହିସବୁ ଯୋଜନା ବଦଳରେ କଟକ ବଡ଼ ମେଡିକାଲରେ କେବଳ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ଲାଗୁ କରାଯାଇଛି । ଏମିତି ବିଚିତ୍ର ସ୍ଥିତିରେ କେବେ ରୋଗୀ କମ ସମୟରେ ସମସ୍ତ ସ୍ବାସ୍ଥ୍ୟ ସେବା ପାଇବେ ଏବଂ ଲମ୍ବା ଲାଇନରୁ ମୁକ୍ତି ହେବେ ତାକୁ ଅପେକ୍ଷା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ