କଟକ: ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଚେକିଂ ପ୍ରକ୍ରିୟା କଡ଼ାକଡ଼ି କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । ଏହି କ୍ରମରେ ସାରା ରାଜ୍ୟରେ ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । କଟକ, ଭୁବନେଶ୍ୱର, ରାଉରକେଲା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚେକିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ବିଶେଷ କରି ୧୮ ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ମାନେ ଚଳାଉଥିବା ଗାଡିଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପରିବହନ ବିଭାଗ ।
ଖବର ଲେଖା ହେବା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୫୦ରୁ ଅଧିକ ୧୮ ବର୍ଷରୁ କମ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ଗାଡିକୁ ଜବତ କରିବା ସହ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । କେବଳ ସେତିକି ନୁହେଁ, ଅନେକ ଅଭିଭାବକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ପରିବହନ ବିଭାଗର ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଚେକିଂ ପ୍ରକ୍ରିୟା ସବୁ ଦିନ ଜାରି ରହିବ । ୧୮ ବର୍ଷରୁ କମ୍ ଚାଳକଙ୍କ ସମେତ ହେଲମେଟ ନପିନ୍ଧିଲେ କିମ୍ବା ନିଶା ସେବନ କରି ଗାଡି ଚଳାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ବିଭିନ୍ନ ସ୍ଥାନରେ ଚେକିଂ କରାଯାଇଥିଲା । କଟକ ଶୈଳବାଳା କଲେଜ ନିକଟରେ ଚେକିଂ ସମୟରେ ୭ରୁ ଅଧିକ ନାବାଳକ ଚାଳକଙ୍କୁ ଧରିଥିଲା ପରିବହନ ବିଭାଗ । କେହି କେହି ବିନା ହେଲମେଟରେ ଗାଡି ଚଳାଉଥିଲେ, ତ ଆଉ କେହି ମୋବାଇଲରେ ଗପିଗପି ଗାଡି ଚଳାଉଥିଲେ । ତେବେ ସେମାନଙ୍କ ଗାଡିକୁ ଜବତ କରି ସେମାନଙ୍କ ଅବିଭାବକମାନଙ୍କୁ ସୂଚନା ଦିଆଯାଇଛି । ସେହିପରି ଯେଉଁ ନାବାଳକ ଚାଳକମାନେ ଗାଡ଼ି ଚଳାଇ ସ୍କୁଲକୁ ଯାଉଥିଲେ, ସେମାନଙ୍କୁ ସରକାରୀ ଗାଡ଼ି ସାହାଯ୍ୟରେ ସ୍କୁଲ ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
ସେପଟେ ୧୮ ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡ଼ି ନଦେବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ପରିବହନ ବିଭାଗ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଛାତ୍ରଛାତ୍ରୀ ଯଦି ଗାଡି ଚଳାଇବା ସମୟରେ ଧରାପଡନ୍ତି, ତେବେ ସେମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସେହିପରି ସେମାନେ ଚଳାଉଥିବା ଗାଡିକୁ ଜବତ କରାଯିବା ସହ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । କେବଳ ସେତିକି ନୁହେଁ ଗାଡି ମାଲିକଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ।
ଇଟିଭି ଭାରତ, କଟକ