କଟକ: ଚାଲିଛି ପାର୍ବଣର ଋତୁ । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ମା' ଦୁର୍ଗାଙ୍କ ଆଗମନରେ ବେଶ ଉତ୍ସବ ମୁଖର ହୋଇପଡିଛି ଭାଇଚାରାର ସହର କଟକ । ଦୁଇବର୍ଷର କରୋନା କଟକଣା ପରେ ଏଥର ଜମିବ ପାର୍ବଣ । ଦୁର୍ଗାପୂଜା ସାଙ୍ଗକୁ ଏଥର ରାବଣ ପୋଡି ଉତ୍ସବକୁ ଉପଭୋଗ କରିବେ କଟକବାସୀ । ତେଣୁ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣ ପୋଡି ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।
ଆସନ୍ତା ବିଜୟା ଦଶମୀରେ କଟକରେ ଧୁମଧାମରେ ପାଳନ ହେବ ରାବଣ ପୋଡି ଉତ୍ସବ । ବାରବାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବ ଏହି ରାବଣ ପୋଡି ଉତ୍ସବ । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ରାବଣ ପୋଡି ସମ୍ଭବପର ହେଉ ନଥିଲା । କିନ୍ତୁ ଚଳିତବର୍ଷ ତାହାକୁ ବେଶ ଆଡ଼ମ୍ବର ସହ ପାଳନ କରାଯିବ । ଚଳିତ ମାସ ୫ ତାରିଖ ଅର୍ଥାତ ବିଜୟା ଦଶମୀରେ ଏହି ଉତ୍ସବ ପାଳନ ହେବ । ମଧ୍ୟ ରାତିରେ ରାବଣ ପୋଡି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ତାହା ପୂର୍ବରୁ ଓଡ଼ିଶାର ମାନ୍ୟଗଣ୍ୟ କଳାକାରଙ୍କ ପକ୍ଷରୁ ମନୋରଞ୍ଜନ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
ଏନେଇ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ଆବାହକ ଆଶୀର୍ବାଦ ବେହେରା କହିଛନ୍ତି, "୩୧ ବର୍ଷ ଧିର ରାବଣ ପୋଡି ଉତ୍ସବ ହୋଇ ଆସୁଥିଲା । ଏଥର ଏହା ୩୨ ବର୍ଷରେ ପଦାର୍ପଣ କରିଛି । କଟକ ସହର ହେଉଛି ଭାଇଚାରାର ସହର । ରାବଣ ପୋଡି ଉତ୍ସବକୁ ଉପଭୋଗ କରିବା ପାଇଁ ସାରା କଟକ ବାସୀ ଅପେକ୍ଷା କରି ରହଥାନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ବିଜୟା ଦଶମୀ ଦିନ ଆମେ ଏହି ଉତ୍ସବକୁ ପାଳନ କରିବୁ । ଆମେ ଆଶା କରୁଛୁ ଜନସମାଗମ ଅଧିକ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ୧୫୦୦୦ ଚୌକିର ବ୍ୟବସ୍ଥା କରାଯାଇଛି । ଏହା ସହିତ ପାସ୍ର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ପାସ୍ରେ ଦୁଇ ଜଣ ଲୋକ ପ୍ରବେଶ କରି ପାରିବେ । ଅତିଥିମାନଙ୍କ ପାଇଁ ୨୦୦ ସିଟ୍ର ବ୍ୟବସ୍ଥା କରାଯାଇଛି । ଏହା ସହିତ ସାମ୍ବାଦିକମାନଙ୍କ ପରିବାର ବସିବା ପାଇଁ ମଧ୍ୟ ୧୦୦ ସିଟ୍ର ବ୍ୟବସ୍ଥା ରହିଛି ।"
"କଟକ ସହରରେ ଏବର୍ଷ ନିଆରା ଢଙ୍ଗରେ ଦଶହରା ଉତ୍ସବ ପାଳନ କରାଯିବ । କୋରୋନା କଟକଣା ପାଇଁ ଦୁଇ ବର୍ଷ ଦୁର୍ଗା ପୂଜା ଫିକା ପଡିଥିଲା । ତେଣୁ ଏଥର କଟକ ସହରର ଗଳିକନ୍ଦିଠୁ ଆରମ୍ଭ କରି ବଡ ବଡ କ୍ଲବ ପର୍ଯ୍ୟନ୍ତ ସମସ୍ତେ ମା'ଙ୍କ ଆଗମନ ପାଇଁ ବେଶ ଉତ୍ସାହିତ ହୋଇଛନ୍ତି । ସେହିପରି କଟକ ସହରରେ ଚାନ୍ଦି ମେଢ ସଂଖ୍ୟା ବଢିବାରେ ଲାଗିଛି । ମା' ଦୁର୍ଗାଙ୍କ ଆଶୀର୍ବାଦରୁ ଏଥର ସପ୍ତମୀଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ସମସ୍ତ ଅୟୋଜନ ଶାନ୍ତି ଶୃଙ୍ଖଳାର ସହିତ ହେବ ।"
ଇଟିଭି ଭାରତ, କଟକ