କଟକ: ପ୍ରିୟଙ୍କା ଗାନ୍ଧୀ ସୋନଭଦ୍ରାର ପୀଡିତଙ୍କୁ ଭେଟିବାକୁ ଯାଇଥିବାବେଳେ ବେଆଇନ ଭାବେ ତାଙ୍କୁ ଗିରଫ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଶନିବାର ଦିନ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଶତାଧିକ କଂଗ୍ରେସ କର୍ମୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି।
ସୂଚନାମୁତାବକ, ଉତ୍ତରପ୍ରଦେଶ ସୋନଭଦ୍ରା ଅଞ୍ଚଳରେ ଆଦିବାସୀଙ୍କୁ ହତ୍ୟା ଓ ଗୁରୁତର ହୋଇଥିବା ପୀଡିତଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯାଇଥିଲେ । ଏହି ସମୟରେ ବେଆଇନ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ଶନିବାର ଦିନ ସାରାଦେଶରେ ପ୍ରତିବାଦ ସ୍ୱର ଦେଖାଯାଇଥିଲା ।
ସେହିପରି ସୋନଭଦ୍ରା ଜିଲ୍ଲାରେ ଗଣହତ୍ୟାକୁ ଦୃଢ ଭାବେ ନିନ୍ଦା କରିଛି ଏସୟୁସିଆଇ ସଂଗଠନ । ଘଟଣାକୁ ବିରୋଧ କରି ଏସୟୁସିଆଇ ସଂଗଠନ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି ଏହି ସଂଗଠନ । ଆଦିବାସୀଙ୍କୁ ଦେଶର ନାଗରିକ ଭାବେ ବଞ୍ଚିବାର ଅଧିକାରକୁ ସୁରକ୍ଷା ଦେବା ସହ, ମାଫିଆଙ୍କ କବଳରୁ ଆଦିବାସୀଙ୍କୁ ରକ୍ଷା କରିବା ପାଇଁ ସ୍ମାରକ ପତ୍ରରେ ଅନୁରୋଧ କରିଛି ଏସୟୁସିଆଇ । ଉତ୍ତରପ୍ରଦେଶରେ ବିଜେପି ସରକାର ଆଦିବାସୀ ଦଳିତ ମାନଙ୍କ ଉପରେ ଅତ୍ୟାଚାର କରିଆସୁଛି ବୋଲି ଅଭିଯୋଗ କରିଛି ଏହି ସଂଗଠନ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ