କଟକ: ଏସସିବି ମେଡିକାଲରୁ ପୁଣି ଚମ୍ପଟ ମାରିଲା କଏଦୀ । କଏଦୀ ଜଣକ ହେଲେ ଯାଜପୁର ସବ ଜେଲର ବିଚାରାଧିନ କଏଦୀ ସୁକୁନା ମୁଣ୍ଡା । ଜେଲ୍ କର୍ମଚାରୀଙ୍କ ସୁରକ୍ଷା ଭିତରେ ଥାଇ ଚିକିତ୍ସିତ ହେଉଥିବା ବେଳେ କଏଦୀ ଜଣକ ମେଡିକାଲରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ପୋଲିସ ଦ୍ବାରା ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ଯାଜପୁର ରୋଡ଼ ଉପ-କାରାଗାରରେ ରହୁଥିଲେ । ତେବେ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଉପ-କାରବାରରେ ଚିକିତ୍ସା କରାଯାଉଥିଲା ।
ହେଲେ ଗତ ୩୦ତାରିଖରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ଢିଲା ସୁରକ୍ଷା ବଳୟର ସୁଯୋଗ ନେଇ କଏଦୀ ଜଣଙ୍କ ମେଡିକାଲ ପରିସରରୁ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଫେରାର କଏଦୀ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଜେଲ ଅଧୀକ୍ଷକ ପ୍ରକାଶ ଚନ୍ଦ୍ର ରଣା ।
ଇଟିଭି ଭାରତ, କଟକ